Odisha Link
Bridging the Missing Links in Odisha

ଆଜିଠୁ ବିଧାନସଭା ଅଧିବେଶନ

୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ରାଜ୍ୟ ଅର୍ଥମନ୍ତ୍ରୀ।

ଓଏଲ୍‌ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟ ବିଧାନସଭା ବଜେଟ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ। ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟ ଦିବସ ରହିଛି। ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ରାଜ୍ୟ ଅର୍ଥମନ୍ତ୍ରୀ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ସରକାରର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ। ଗତ ସପ୍ତାହରେ ଏହି ବଜେଟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟର ଅନୁମୋଦନ ପାଇ ସାରିଛି।

ବିଧାନସଭା କିଭଳି ସୁରୁଖୁରୁରେ ଚାଲିବ, ସେ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଗତକାଲି ରାଜ୍ୟ ବଜେଟ୍ ଅଧିବେଶନ ପୂର୍ବରୁ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗ ଦେଇଥିଲେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ବିଜେପି ତରଫରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର ଉପସ୍ଥିତ ରହିଥିଲେ। ସର୍ବଦଳୀୟ ବୈଠକରେ ଭର୍ଚୁଆଲ ମୋଡରେ ବିଧାୟକଙ୍କ ଅଂଶଗ୍ରହଣ ପ୍ରସ୍ତାବକୁ ବିରୋଧ କରି ବୈଠକ ବର୍ଜନ କରିଥିଲା ବିଜେପି। ସମସ୍ତେ ଗୃହକୁ ଆସି ଭାଗ ନିଅନ୍ତୁ ଦାବି କରିଥିଲେ ବିରୋଧୀ ଦଳ ନେତା।

ଅନ୍ୟପକ୍ଷେ, ବଜେଟ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ଡିଜିପି ସୁନୀଲ ବଂଶଲ। ବିଧାନସଭା ଅଧିବେଶନ ପାଇଁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ୨ ଜଣ ଡିସିପିଙ୍କ ନେତୃତ୍ୱରେ ୧୦ ଅତିରିକ୍ତ ଡିସିପି, ୧୧ ଏସିପି, ୧୩ ଜଣ ଆଇଆଇସି, ୮୫ ଜଣ ଅଫିସର ଓ ୨୦୦ ଜଣ କନେଷ୍ଟବଳ ମୁତୟନ ହୋଇଛନ୍ତି। ତେବେ ବିକ୍ଷୋଭ ଓ ଧାରଣାସ୍ଥଳ ଉପରେ ପୁଲିସର କଡା ନଜର ରହିବ ବୋଲି କହିଥିଲେ ପୁଲିସ ଡିଜି।

Leave A Reply

Your email address will not be published.