Odisha Link
Bridging the Missing Links in Odisha

“ମୋଦି ଶାସନରେ ତିନିଗୁଣା ଗ୍ୟାସ୍ ଦର, ବିଜେପି ଚୁପ୍ କାହିଁକି?”

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ଆରମ୍ଭରୁ ମହଙ୍ଗା ମାଡ଼। ଦେଶରେ ଦରଦାମ୍ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ବହୁ ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍‌କୁ ନେଇ ଦେଶବାସୀ ଚିନ୍ତିତ ଥିବା ବେଳେ ବୋଝ ଉପରେ ଲଳିତା ବିଡ଼ା ସଦୃଶ ରୋଷେଇ ଗ୍ୟାସ୍‌ ମୂଲ୍ୟରେ ୫୦ ଟଙ୍କାର ବୃଦ୍ଧି ହୋଇଛି। ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କଲା ଶାସକ ବିଜୁ ଜନତା ଦଳ।

ଆଜି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବଦିକ ସମ୍ମିଳନୀରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ଲଢେଇ କରୁଛି ଓ ଆଗକୁ କରିବ ମଧ୍ୟ। ୫୦ ଟଙ୍କାର ଗ୍ୟାସ ଦର ବୃଦ୍ଧି ଗରିବଙ୍କୁ ଭାରି ବାଧିଛି। କିନ୍ତୁ ଏହି ପ୍ରସଙ୍ଗରେ ରାଜ୍ୟ ବିଜେପି ପୂରା ଚୁପ୍। କିନ୍ତୁ ବିଜେଡି ଲଢ଼େଇ କରବି ବୋଲି କହିଛନ୍ତି।

ସେହିପରି ସେ ଆହୁରି କହିଛନ୍ତି, ଦେଶର ବିକାଶ ପାଇଁ ଯାହା ଆବଶ୍ୟକ ସେଭଳି ପ୍ରସଙ୍ଗରେ ବିଜେଡି ସମର୍ଥନ କରେ କିନ୍ତୁ ଯେଉଁ ପ୍ରସଙ୍ଗରେ ସମର୍ଥନ ଦେଇ ହେବ ନାହିଁ ତାହାକୁ ଅଣଦେଖା କରିପାରିବନି ବିଜେଡି। ରାଜ୍ୟବାସୀ ଯେଉଁ ଭରସା ଓ ବିଶ୍ୱାସରେ ଦାୟିତ୍ୱ ଦେଇଛନ୍ତି ତାହାକୁ ଦୃଷ୍ଟିରେ ରଖି ବିଜେଡି ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ସ୍ୱର ଉତ୍ତୋଳନ କରିବ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ।

ଅପରପକ୍ଷେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, ଗ୍ୟାସ ଦର ବୃଦ୍ଧି ହେବା ଫଳରେ ଏହାର ପ୍ରଭାବ ଘରେ ଘରେ ପଡିବ। ମା’ମାନଙ୍କ ଆଖିରୁ ଲୁହ ପୋଛିବାକୁ ଯେଉଁ ଯୋଜନା ହୋଇଥିଲା ତାହା ଏବେ କନ୍ଦାଉଛି। ଏହି ଦର ବୃଦ୍ଧି କାହିଁକି ଘଟିଲା, ଏହା ପଛର କାରଣ କଣ ସେ ପ୍ରସଙ୍ଗରେ ବିଜେପି ପୂରା ଚୁପ୍ । ସ୍ପର୍ଶକାତର ପ୍ରସଙ୍ଗରେ ଉତ୍ତର ଦେବାକୁ ସାହସ ନଥିଲେ ବିଜେପି ଏମିତି ଚୁପ୍ ରୁହେ ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି।

Leave A Reply

Your email address will not be published.