Odisha Link
Bridging the Missing Links in Odisha

ମାଟ୍ରିକ ପରୀକ୍ଷା: ୧୮ ହଜାରରୁ ଅଧିକ ପିଲା ଅନୁପସ୍ଥିତ

ଓଏଲ୍‌ ବ୍ୟୁରୋ: ଗତକାଲିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଶୁକ୍ରବାର ଓଡ଼ିଆ ଭାଷା ପରୀକ୍ଷା ସରିଥିବା ବେଳେ ୧୩ ତାରିଖ ଅର୍ଥାତ୍‌ ସୋମବାର ଇଂରାଜୀ ପରୀକ୍ଷା ହେବ। ସବୁଠୁ ବଡ଼ କଥା ହେଲା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି।

ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍‌ଏ-୧) ଭଳି ଏସ୍ଏ-୨ରେ ବିଭିନ୍ନ କେନ୍ଦ୍ରରେ ମାଟ୍ରିକ୍, ମଧ୍ୟମା, ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କର ଅନୁପସ୍ଥିତି ଦେଖିବାକୁ ମିଳିଛି। ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, କଟକ ଜିଲ୍ଲାରେ ୪୨୦ ଜଣ, କେନ୍ଦ୍ରାପଡ଼ାରେ ୪୨୫ଜଣ, ଜଗତସିଂହପୁରରେ ୨୩୫ଜଣ, ଖୋର୍ଦ୍ଧାରେ ୪୯୪ଜଣ, କୋରାପୁଟରେ ୬୮୬ଜଣ, ଯାଜପୁରରେ ୭୫୫ଜଣ, ଭଦ୍ରକରେ ୫୦ଜଣ, ବାଲେଶ୍ବରରେ ୧୧୫୮ଜଣ, ଦେବଗଡ଼ରେ ୯୪ଜଣ, ବଲାଙ୍ଗୀରରେ ୧୧୯୯ଜଣ, କଳାହାଣ୍ଡିରେ ୭୬୬ଜଣ, ଏହିପରି ଭାବରେ ସମଗ୍ର ରାଜ୍ୟରେ ମାଟ୍ରିକ୍ ପରୀକ୍ଷା(ଏସ୍‌ଏ-୨)ର ପ୍ରଥମ ଦିନରେ ୧୮ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ସେହିପରି ମଧ୍ୟମା ଓ ମୁକ୍ତବିଦ୍ୟାଳୟ ପ୍ରତ୍ୟେକ ବର୍ଗରେ ୫ ଶହରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ, ମାଟ୍ରିକର ଏସ୍‌ଏ-୧ରେ ରାଜ୍ୟରେ ମୋଟ ୧୩ ହଜାର ୫୮ଜଣ, ମଧ୍ୟମାରେ ୫୮୩ଜଣ ଓ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା(ଦ୍ବିତୀୟ)ରେ ୪୪୪ଜଣ ଅନୁପସ୍ଥିତ ଥିଲେ। ହେଲେ ଏସ୍‌ଏ-୨ରେ ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନାହାନ୍ତି। ଏସ୍‌ଏ-୧ ପରୀକ୍ଷା ୧୩ ହଜାରରୁ ଉର୍ଦ୍ଧ୍ବ ପିଲା ପରୀକ୍ଷା ଦେଇନଥିବା ବେଳେ ଏସ୍‌ଏ-୨ରେ ଆହୁରି ୫ ହଜାର ପିଲା ଅର୍ଥାତ୍‌ ୧୮ ହଜାରରୁ ଉର୍ଦ୍ଧ୍ବ ପିଲା ପରୀକ୍ଷା ଦେଇନାହାନ୍ତି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍‌ ମାନେ। କ’ଣ ପାଇଁ ପିଲା ପରୀକ୍ଷା ଦେଉ ନାହାନ୍ତି ସେ ନେଇ ବୋର୍ଡ କର୍ତ୍ତୃପକ୍ଷ ତର୍ଜକା କରିବା କଥା ବୋଲି ଶିକ୍ଷାବିତ୍‌ ମାନେ ମତ ରଖିଛନ୍ତି।

ଚଳିତ ଥର ୫ ଲକ୍ଷ ୪୧ ହଜାର ଶିକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରିଛି ବୋର୍ଡ

Leave A Reply

Your email address will not be published.