Odisha Link
Bridging the Missing Links in Odisha

ପରିବା ଦର ଆକାଶ ଛୁଆଁ, ପେଟ୍ରୋଲ ଟାଙ୍କିରେ ପ୍ରବଳ ଭିଡ଼

ଓଏଲ୍‌ ବ୍ୟୁରୋ: ଦ୍ବିତୀୟ ଦିନରେ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ସମୟ ଯେତେ ଗଡ଼ୁଛି ରାଜ୍ୟର ପରିବହନ ବ୍ୟବସ୍ଥା ସେତେ ବିଗିଡ଼ିବାରେ ଲାଗିଛି।ସାରା ରାଜ୍ୟରେ ଡ୍ରାଇଭରଙ୍କ ପିକେଟିଂ ଯୋଗୁଁ ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ। ପରିବା ବୋଝେଇ ଟ୍ରକ ଠାରୁ ଆରମ୍ଭ କରି ତେଲ ଟ୍ୟାଙ୍କର ମଧ୍ୟ ସ୍ୱାଭାବିକ ଭାବେ ଚଳାଚଳ କରୁନାହିଁ। ସବୁଠୁ ଚିନ୍ତାଜନକ ହୋଇଛି ତେଲ ପରିବହନରେ ଅଚଳାବସ୍ଥା।

ସବୁଠୁ ବଡ଼ କଥା ହେଲା ରାସ୍ତାରେ ତେଲ ଟ୍ୟାଙ୍କର ଗୁଡ଼ିକ ଛିଡ଼ା ହୋଇଥିବାରୁ ତେଲ ଟାଙ୍କି ପର୍ଯ୍ୟନ୍ତ ପହଁଞ୍ଚି ପାରୁନାହିଁ। ଯାହାଫଲରେ ତେଲ ଟାଙ୍କି ଗୁଡ଼ିକରେ ଥିବା ଷ୍ଟକ ଶେଷ ହେବାକୁ ବସିଲାଣି।ଦ୍ୱିତୀୟ ଦିନରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ତେଲ ସରି ସରି ଆସୁଛି । ରାଜଧାନୀର କିଛି ପେଟ୍ରୋଲ ଟାଙ୍କି ବନ୍ଦ ହୋଇଯାଇଥିବା ବେଳେ କିଛି ପେଟ୍ରୋଲ ଟାଙ୍କିରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ପେଟ୍ରୋଲ ପାଇଁ ଦୁଇ ଚକିଆ ଓ ଚାରଚକିଆ ଗାଡ଼ିର ଲମ୍ବା ଲାଇନ ଲାଗିଛି। ସୂଚନାଥାଉକି, ରାଜ୍ୟରେ ପ୍ରତିଦିନ ୨୭ ଲକ୍ଷ ୫୦ ହଜାର ଲିଟର ପେଟ୍ରୋଲର ଆବଶ୍ୟକତା ହେଉଥିବା ବେଳେ ଡିଜେଲ ୬୦ ଲକ୍ଷ ଲିଟର ଦରକାର ପଡ଼ିଥାଏ।

ଅନ୍ୟପଟେ ମାଲ୍‌ ସଠିକ ଭାବେ ମାର୍କେଟରେ ପହଁଞ୍ଚି ପାରୁନଥିବା ବେଳେ ଏହାର ସୁଯୋଗ ନେଇ ପରିବା ବେପାରୀ ମନଇଚ୍ଛା ଦର ବଢ଼ାଇ ଦେଇଛନ୍ତି। କଟକ ଛତ୍ରବଜାର ପାଇକାରୀ ବଜାରରୁ ଆରମ୍ଭ କରି ରାଜ୍ୟର ପ୍ରମୁଖ ବଜାର ଗୁଡ଼ିକରେ ଏହାର ପ୍ରଭାବ ପଡ଼ିଛି ତେଣୁ ସବୁଆଡେ ପରିବା ଦର ବଢ଼ି ଚାଲିଛି। ଗୋଟିଏ ଦିନରେ ୨୫ରୁ ୩୦ ପ୍ରତିଶତ ଦର ବୃଦ୍ଧି ପାଇଛି। ଏପଟେ ବଜାରରେ ମଧ୍ୟ ପରିବା ପରିମାଣ କମ୍ ଥିବା ଦେଖିବାକୁ ମିଳୁଛି। ଯଦି ସମସ୍ୟାର ସମାଧାନ ନହୁଏ, ତେବେ ଆକାଶଛୁଆଁ ହେଇପାରେ ପରିବା ଦର।

ସେହିପରି ରନ୍ଧନ ଗ୍ୟାସ ପରିବହନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ରାସ୍ତା ଅବରୋଧ ହଟାଇବାକୁ ପୁଲିସ ଓ ପ୍ରଶାସନ ଉଦ୍ୟମ କରୁଛି। ଡ୍ରାଇଭର ମହାସଂଘର ଆନ୍ଦୋଳନ ଯଦି ଆଗକୁ ବଢ଼େ, ତେବେ ସବୁ କ୍ଷେତ୍ରରେ ଏହାର ପ୍ରଭାବ ପଡିବ। ସାଧାରଣ ଯାତ୍ରୀ ପରିବହନ ଠାରୁ ଆରମ୍ଭ କରି ଅଗ୍ନିଶମ, ଆମ୍ବୁଲାନ୍ସ ସେବା ଭଳି ଅତ୍ୟାବଶ୍ୟକ ସେବା ମଧ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି।

Leave A Reply

Your email address will not be published.