Odisha Link
Bridging the Missing Links in Odisha

ଆଜି ରୁକୁଣା ରଥଯାତ୍ରା, ରଥରେ ବିଜେ କରିବେ ମହାପ୍ରଭୁ ଲିଙ୍ଗରାଜ

ରଥଯାତ୍ରା ପାଇଁ ପହଣ୍ଡି ନୀତି ସାଢେ ୧୨ଟାରେ ଆରମ୍ଭ ହୋଇ ସାଢେ ଗୋଟାଏରେ ଶେଷ ହେବ।

ଓଏଲ୍‌ ବ୍ୟୁରୋ : ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଓଡ଼ିଶାର ଭୁବନେଶ୍ୱରଠାରେ ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ। ଏହା ପୁରୀର ରଥଯାତ୍ରାଠାରୁ ମଧ୍ୟ ଅଧିକ ପୁରୁଣା ଯାତ୍ରା। ତେବେ ଆଜି ଏହି ରୁକୁଣା ରଥଯାତ୍ରା। ରଥରେ ବିଜେ କରି ଯାତ୍ରା କରିବେ ମହାପ୍ରଭୁ ଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣି। ଦ୍ୱାଦଶୀ ଅର୍ଥାତ୍ ରବିବାର ଦିନ ମାଉସୀ ମା’ ଘରୁ ବାହୁଡିବେ। ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ରଥଯାତ୍ରା ପାଇଁ ପହଣ୍ଡି ନୀତି ସାଢେ ୧୨ଟାରେ ଆରମ୍ଭ ହୋଇ ସାଢେ ଗୋଟାଏରେ ଶେଷ ହେବ। ରଥ ଉପରେ ପୂଜା ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସରିବା ପରେ ରଥ ଟଣା ଆରମ୍ଭ ହେବା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ରୁକୁଣା ରଥଯାତ୍ରାରେ ଠାକୁର ରାମେଶ୍ୱର ମନ୍ଦିରକୁ ୭ଟା ୩୦ରେ ବିଜେ କରିବେ। ଅଶୋକାକୁଣ୍ଡ ପାଣିରେ ସ୍ନାନ କଲାପରେ ୧୪ଟି ଅଶୋକ କଢି ଲାଗି କରାଯିବ। ଏହା ପରେ ଭେଟ ଆଳତି ନୀତିରେ ମହାପ୍ରଭୁ ରାମେଶ୍ୱରଙ୍କୁ ସାକ୍ଷାତ କରିବେ। ରୁକୁଣା ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୨ ଜଣ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ୧୨ ଜଣ ଡିଏସପି ରାଙ୍କର ଅଧିକାରୀ ଓ ୮୦ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି।

ଅନ୍ୟପଟେ, ରଥ ନିର୍ମାଣ ଓ ପ୍ରତିଷ୍ଠା ବିଳମ୍ବ ହେବାରୁ ଅନ୍ୟ ନୀତିକାନ୍ତିରେ ବିଳମ୍ବ ହୋଇପାରେ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି ଦେଲେ ସୂଚନା ଦେଇଛନ୍ତି। ଧାର୍ଯ୍ୟ ସମୟ ସାଢ଼େ ୩ଟାରେ ରଥଟଣା ଆରମ୍ଭ ସମ୍ଭବ ନୁହେଁ ବୋଲି ଶ୍ରୀ ପତି କହିଛନ୍ତି। ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତଦାରଖ ନ କରିବାରୁ ବିଳମ୍ବ ହୋଇଥିବା କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି।

ପୌରାଣିକ କିମ୍ବଦନ୍ତୀ ଅନୁସାରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ହତ୍ୟାକରି ସୀତାଙ୍କୁ ଉଦ୍ଧାର କରିଥିଲେ। ରାବଣ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଲା। ଏହିପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ କଥା ଅନୁସାରେ ଏକାମ୍ର କ୍ଷେତ୍ରକୁ ଯାଇ ରାମେଶ୍ୱରଠାରେ ହରିହର (ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜାକଲେ। ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ କ’ଣ ବର ଚାହଁ ବୋଲି ପଚାରିଲେ। ଶେଷରେ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ। ସେହିଦିନଠାରୁ ତାଙ୍କୁ ଦର୍ଶନ ଦେବା ଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଞ୍ଚଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି। ଉକ୍ତ ପ୍ରଥା ଓ ପରମ୍ପରା ଅନୁସାରେ ଏହି ରଥଯାତ୍ରା ହୋଇ ଆସୁଛି।

Leave A Reply

Your email address will not be published.