Odisha Link
Bridging the Missing Links in Odisha

ଓଡ଼ିଶା ରଣଜୀ ଦଳର ନୂଆ କୋଚ୍ ଦିନେଶ ମୋଙ୍ଗିଆ

ଭୁବନେଶ୍ବର: ଓଡ଼ିଶା ରଣଜୀ ଦଳର ନୂଆ କୋଚ ହେଲେ ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ ମୋଙ୍ଗିଆ। ସେହିପରି ଓଡ଼ିଶା ମହିଳା ଦଳର କୋଚ ଭାବେ ନିଯୁକ୍ତି ପାଇଛନ୍ତି ରୁମେଲି ଧର। ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୨୧ ତାରିଖରେ ଦିନେଶ ମୋଙ୍ଗିଆ ଓଡ଼ିଶା ଆସିବେ। ଏହାସହ ଓଡ଼ିଶା ରଣଜୀ ଦଳର ଦାୟିତ୍ୱ ଗ୍ରହଣ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଦିନେଶ ମୋଙ୍ଗିଆଙ୍କ ଭଳି ଅନୁଭବୀ କ୍ରିକେଟରଙ୍କୁ କୋଚ୍ ଦାୟିତ୍ୱ ମିଳିବା ରାଜ୍ୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର ଆଣି ଦେଇଛି।ଏହାପୂର୍ବରୁ ଭାରତୀୟ ଦଳର ପୂର୍ବତନ କ୍ରିକେଟର ୱାସିମ ଜାଫର ମଧ୍ୟ ଓଡ଼ିଶା ରଣଜୀ ଦଳର ଦ୍ରୋଣାଚାର୍ଯ୍ୟ ସାଜିଥିଲେ । ତେବେ ଜାଫରଙ୍କ କୋଚିଂରେ ଦଳ ସେତେଟା ସଫଳ ହୋଇନଥିଲା ।

ସୂଚନାଥାଉକି, ଦିନେଶ ମୋଙ୍ଗିଆ ଭାରତ ପାଇଁ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ବାମହାତୀ ବ୍ୟାଟର ଦିନେଶ ମୋଙ୍ଗିଆ ଭାରତ ପାଇଁ ୫୭ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୫୭ ମ୍ୟାଚରୁ ମୋଙ୍ଗିଆ ୧୨୩୦ ରନ୍ କରିଥିବା ବେଳେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୫୯ ରହିଥିଲା। ଯାହାକି ଜିମ୍ବାୱେ ବିପକ୍ଷରେ ହାସଲ କରିଥିଲେ ମୋଙ୍ଗିଆ। ସେହିଭଳି ବୋଲିରେ ମଧ୍ୟ ତାଙ୍କର ପ୍ରଭାବୀ ପ୍ରଦର୍ଶନ ରହିଥିଲା। ଅନ୍ତର୍ଜାତୀୟ କ୍ୟାରିୟରରେ ମୋଙ୍ଗିଆ ଦିନିକିଆରେ ୧୪ଟି ୱିକେଟ ହାସଲ କରିଛନ୍ତି। ଶେଷ ଦିନିକିଆ ମ୍ୟାଚ୍ ୨୦୦୭ରେ ଖେଳିଥିଲେ ଦିନେଶ ମୋଙ୍ଗିଆ।

Leave A Reply

Your email address will not be published.