Odisha Link
Bridging the Missing Links in Odisha

ଆଇପିଏଲ୍‌ ୨୦୨୩: ଗୁଜରାଟକୁ ହରାଇ ଟେବୁଲ ଶୀର୍ଷରେ ରାଜସ୍ଥାନ ରୟାଲ୍ସ

ଓଏଲ୍‌ ବ୍ୟୁରୋ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୨୩ ତମ ମୁକାବିଲାରେ ଗତଥରର ଚମ୍ପିଆନ୍‌ ଗୁଜରାଟ ଟାଇଟନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ। ଗୁଜରାଟକୁ ୩ ଓ୍ବିକେଟରେ ହରାଇ ରାଜସ୍ଥାନ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି। ୧୭୮ ରନ୍‌ ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ସଂଜୁ ସାମସନ ଓ ସିମ୍ରନ ହେଟମେୟରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଜିତି ନେଇଛି। ଉଭୟ ଦଳ ୫ ଲେଖାଏଁ ମ୍ୟାଚ୍‌ ‌ଖେଳିଥିବା ବେଳେ ରାଜସ୍ଥାନ ଚତୁର୍ଥ ବିଜୟ ସହ ଶୀର୍ଷ ସ୍ଥାନକୁ ଦୃଢ଼ କରିଛି। ଗୁଜରାଟ ଦ୍ବିତୀୟ ପରାଜୟ ବରଣ କରିଛି।

ରବିବାର ରାତିରେ ଖେଳାଯାଇଥିବା ୨୩ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଟସ୍‌ ଜିତିଥିବା ବେଳେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଗୁଜରାଟ ଟାଇଟନ୍ସ। ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ଗୁଜରାଟ ଦଳ ବିନା ଅର୍ଦ୍ଧଶତକରେ ୧୭୭ ରନ୍‌ର ଆହ୍ବାନଭରା ସ୍କୋର ରାଜସ୍ଥାନ ଆଗରେ ଛିଡ଼ା କରିଥିଲା।ଶୁବମନ ଗିଲ୍‌ ୩୪ ବଲ୍‌ରୁ ୪୫ ଏବଂ ଡେଭିଡ୍ ମିଲର୍‌ ୩୦ ବଲ୍‌ରୁ ୪୬ ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ସେହିପରି ରାଜସ୍ଥାନ ପାକ୍ଷରୁ ସନ୍ଦୀପ ଶର୍ମା, ଟ୍ରେଣ୍ଟ୍ ବୋଲ୍ଟ, ଆଦାମ ଜାମ୍ପା, ୟୁଝବେନ୍ଦ୍ର ଚହଲ୍‌ ୱିକେଟ୍‌ ଦଖଲ କରିବାରେ ସଫଳ ହୋଇଥିଲେ।

୧୭୮ ରନର ବିଜୟ ଲକ୍ଷ୍ୟ ଜବାବରେ ରାଜସ୍ଥାନ ରୟାଲ୍ସ ପ୍ରତିଟି ରନ୍‌ ପାଇଁ ସଂଘର୍ଷ କରିଥିଲା। ପାୱାର ପ୍ଲେ ୬ ଓଭରରେ ୨୬/୨ରେ ସୀମିତ ରହିଥିଲା। ପ୍ରଥମରୁ ଯଶସ୍ବୀ ଜୟସ୍ବାଲ, ଜୋସ୍ ବଟଲର୍‌, ରୢାନ୍ ପରାଗ, ଦେବଦତ୍ତ ପଡ଼ିକଲଙ୍କୁ ହରାଇ ରାଜସ୍ଥାନ ଏକାଦଶ ଓଭର ବେଳକୁ ମଧ୍ୟ ୫୫/୪ରେ ସଂଘର୍ଷ କରିଥିଲା। ଅଧିନାୟକ ସଂଜୁ ସାମସନ୍‌ଙ୍କ ବିସ୍ଫୋରକ ପାଳି (୩୨ ବଲ୍‌ରୁ ୬୦ ରନ୍‌) କାରଣରୁ ରାଜସ୍ଥାନ ରୟାଲ୍‌ସ ପାଳିରେ ନୂଆ ଜୀବନ ଭରିଥିଲା। ସିମ୍ରନ ହେଟମେୟରଙ୍କୁ ସାଥି କରି ସଂଜୁ ୪.୩ ଓଭରରୁ ୫୯ ରନ୍‌ ଯୋଡ଼ିଥିଲେ। ଉତ୍ତରପ୍ରଦେଶ ଯୁବ ପ୍ରତିଭା ଧୃବ ଜୁରେଲ୍‌ଙ୍କୁ ସାଥି କରି ହେଟମେୟର୍ ମଧ୍ୟ ୨୦ ବଲ୍‌ରୁ ୪୭ ରନ୍‌ ଯୋଡ଼ିବା ଦଳକୁ ବିଜୟର ନିକଟତର କରିଥିଲା। ହେଟମେୟର୍‌ ୨୫ ବଲ୍‌ରୁ ୫୦ ରନ୍‌ ପୂର୍ଣ୍ଣ କରିବା ସହ ଛକା ମାରି ଦଳକୁ ୪ ବଲ୍‌ ପୂର୍ବରୁ ବିଜୟୀ କରିଥିଲେ।

Leave A Reply

Your email address will not be published.