Odisha Link
Bridging the Missing Links in Odisha

ସମ୍ବଲପୁରରେ ଆଉ ୨ଦିନ ଇଣ୍ଟରନେଟ୍‌ ବନ୍ଦ, ସପ୍ତାହେ ପରେ ବି ମିଳୁନି ଇଣ୍ଟରନେଟ୍‌ ସେବା

୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ରହିବ। ତେବେ ଆଜି ପୁରା ଜିଲ୍ଲାରେ ବ୍ରଡ୍‌ ବ୍ୟାଣ୍ଡ୍‌, ଲିଜ୍ ଲାଇନ କାମ କରିବ।

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ ହନୁମାନ ଜୟନ୍ତୀ ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ଆଜିକୁ ୭ଦିନ ହେବ ସହରରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ବର୍ତ୍ତମାନ ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି। ୨୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ରହିବ। ତେବେ ଆଜି ପୁରା ଜିଲ୍ଲାରେ ବ୍ରଡ୍‌ ବ୍ୟାଣ୍ଡ୍‌, ଲିଜ୍ ଲାଇନ କାମ କରିବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବ୍ରଡ୍‌ ବ୍ୟାଣ୍ଡ୍‌, ଲିଜ୍ ଲାଇନ କାମ କରିବ ବୋଲି ସୂଚନା ରହିଛି।

ଖବର ଅନୁସାରେ, ସମ୍ବଲପୁରରେ ହିନ୍ଦୁମାନଙ୍କ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ପଥରମାଡ଼ ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ଗତ ଗୁରୁବାର ଠାରୁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା ପରେ ଶନିବାର ଦିନ ସମ୍ବଲପୁରରେ ହିଂସାକାଣ୍ଡ ଥମିଥିଲା। ହେଲେ ରବିବାର ସହରରେ ଆଉ ଥରେ ହିଂସାକାଣ୍ଡ ଫେରିବା ଆଜି ପୁଣି ଥରେ ୪୮ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ଘୋଷଣା ହୋଇଛି।

ସୋସିଆଲ୍‌ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆଜି ଦିନ ୧୦ଟାରେ ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା କଟକଣା ସରୁଥିଲା। ଦୀର୍ଘ ୭ ଦିନ ଧରି ଇଣ୍ଟରନେଟ୍ ସେବାରୁ ସମ୍ବଲପୁରବାସୀ ବଞ୍ଚିତ ଥିବାରୁ ଆଜି କଟକଣା ହଟିବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଅବଧିକୁ ଆଉ ୪୮ ଘଣ୍ଟା ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ। ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ସମ୍ବଲପୁରବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଅନ୍ୟପକ୍ଷେ, ଧୀରେ ଧୀରେ ସ୍ୱାଭାବିକ ହେଉଛି ସମ୍ବଲପୁର ସହରରେ ଜୀବନଯାତ୍ରା। ଲୋକମାନେ ନିଜ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ବାହାରକୁ ଆସୁଛନ୍ତି। ଗତକାଲି ପ୍ରଥମ ଥର ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୧ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଥିଲା। ତେବେ ଅତିଶୀଘ୍ର ସ୍ତିତି ସୁଧୁରିଯିବ ବୋଲି ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.