Odisha Link
Bridging the Missing Links in Odisha

ପଞ୍ଚଭୂତରେ ଲୀନ ହେଲେ ସହିଦ ଦେବାଶିଷ ବିଶ୍ୱାଳ

ଓଏଲ୍‌ ବ୍ୟୁରୋ: ଝୁରୁଛି ସାରା ଓଡ଼ିଶା । ଝୁରୁଛି ଗାଁ ମାଟି। ଏହାରି ମଧ୍ୟରେ ପଞ୍ଚଭୂତରେ ଲୀନ ହେଲେ ସହିଦ ଯବାନ ଦେବାଶିଷ ବିଶ୍ବାଳ। ଜମ୍ମୁ କଶ୍ମୀର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଘଟିଥିବା ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଥିଲା। ଯେଉଁଥିରେ ୫ଜଣ ଯବାନ ସହିଦ ହୋଇଥିଲେ। ସହିଦଙ୍କ ମଧ୍ୟରେ ଓଡ଼ିଆ ଯବାନ ଦେବାଶିଷ ବିଶ୍ବାଳ ଥିଲେ। ସତ୍ୟବାଦୀର ଖଣ୍ଡାୟତ ସାହିରେ ଦେବାଶିଷଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଦେବାଶିଷଙ୍କୁ ମୁଖାଗ୍ନି ଦେଲେ ସାନ ଭାଇ।

ଆଜି ସକାଳେ ଜନ୍ମମାଟିରେ ପହଞ୍ଚିଥିଲା ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର। ପୁରୀ ସତ୍ୟବାଦୀର ଖଣ୍ଡାୟତ ସାହିରେ ପହଞ୍ଚିଲା ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର। ଦେବାଶିଷ ‘ଅମର ରହେ’ ଧ୍ବନିରେ ପ୍ରକମ୍ପିତ ହେଲା ସମଗ୍ର ଅଞ୍ଚଳ।ପ୍ରଶାସନ ପକ୍ଷରୁ ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିଲା। ଆଜି ସକାଳୁ ପ୍ରଥମେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲା ସହିଦ ବୀର ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର। ବିମାନ ବନ୍ଦରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଅଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାଜ୍ୟ ସରକାରଙ୍କ ମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ରାଷ୍ଟୀୟ ସମ୍ବିତ ପାତ୍ର ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସହିଦ ଦେବାଶିଷଙ୍କ ପତ୍ନୀ ଓ ପରିବାର ଲୋକ ମଧ୍ୟ ବିମାନବନ୍ଦରରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ସହିଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହା ପରେ ପାର୍ଥିବ ଶରୀରକୁ ଜନ୍ମମାଟିକୁ ନିଆଯାଇଛି। ସହିଦ ଯବାନଙ୍କ ପାଇଁ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.