Odisha Link
Bridging the Missing Links in Odisha

ଝାରସୁଗୁଡ଼ା ମଇଦାନରେ ୯ ପ୍ରାର୍ଥୀ, ଚର୍ଚ୍ଚାରେ ତ୍ରିମୁଖି ଲଢ଼େଇ

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ମେ’୧୦ରେ ପଡ଼ିବ ଭୋଟ। ଝାରସୁଗୁଡ଼ାବାସୀ ବାଛିବେ ତାଙ୍କ ମନପସନ୍ଦର ନେତା। ସାଧାରଣ ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ ଝାରସୁଗୁଡ଼ା ଉପନିର୍ବାଚନ ଜିତିବାକୁ ରାଜ୍ୟର ତିନି ଛାମୁଆ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟହାର ପରେ ପ୍ରାର୍ଥୀଙ୍କ ସମ୍ପର୍କରେ ଆସିଛି ସ୍ପଷ୍ଟତା।

ଏହି ଉପନିର୍ବାଚନରେ ୯ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ। ସେ ମଧ୍ୟରୁ ୬ଟି ଦଳୀୟ ପ୍ରାର୍ଥୀ ଥିବାବେଳେ ୩ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ବିଶେଷ ଭାବେ ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ବିଜେପି କଂଗ୍ରେସ ମଧ୍ୟରେ ତ୍ରୀମୁଖି ଲଢେ଼ଇ ହେବ। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପକ୍ଷରେ ସହାନୁଭୂତି ଭୋଟ ସହ ମହିଳାଙ୍କ ସମର୍ଥନ ତଥା ବିଜେଡି ଓ ନବୀନଙ୍କ ଲୋକପ୍ରିୟତା ମୁଖ୍ୟତଃ ପ୍ରମୁଖ ଅସ୍ତ୍ର ଭାବେ କାର୍ଯ୍ୟ କରିବ। ଏଥିସହିତ ଝାରସୁଗୁଡ଼ାରେ ନବ ଦାସଙ୍କ ନିଜସ୍ୱ ଭୋଟ ବ୍ୟାଙ୍କ ମଧ୍ୟ ଦୀପାଳିଙ୍କୁ ବେଶ ସହାୟକ ହେବ ବୋଲି ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି।

ଅନ୍ୟପଟେ ବିଜେପି ଯୁବ ନେତା ଟଙ୍କଧରଙ୍କୁ ପ୍ରାର୍ଥୀ କରି ଯୁବ ବର୍ଗଙ୍କ ସମର୍ଥନକୁ ଅପେକ୍ଷା ରଖିଛି। ଏପରିକି ନବ ଦାସଙ୍କ ହତ୍ୟାକୁ ନେଇ ସରକାରଙ୍କୁ କାଠଗଡାରେ ଛିଡା କରାଇଥିବା ବିଜେପି ନବଙ୍କ ହତ୍ୟାକୁ ମୁଖ୍ୟ ଅସ୍ତ୍ର କରିଛି। ଏପରିକି ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ପ୍ରମୁଖ ମୁଦ୍ଦା କରି ନିର୍ବାଚନକୁ ଓଲ୍ହାଇଛି ଦଳ। ସେହିପରି ଏକଦା କଂଗ୍ରେସର ଗଡ଼ ଥିଲା ଝାରସୁଗୁଡ଼ା। ସେହି ଗଡ଼କୁ ଅକ୍ତିଆର କରିବା ପାଇଁ କଂଗ୍ରେସ ମଧ୍ୟ ଅଣ୍ଟା ଭିଡ଼ିଛି। ପୂର୍ବତନ ବିଧାୟକଙ୍କ ପୁଅ ତରୁଣ ପାଣ୍ଡେଙ୍କୁ ଦଳୀୟ ପ୍ରାର୍ଥୀ କରିଛି କଂଗ୍ରେସ।

ନିର୍ବାଚନ ରଣାଙ୍ଗନ ଜିତିବା ପାଇଁ ତିନି ଛାମୁଆ ଦଳ ଘୋଷଣା କରିଛନ୍ତି ୪୦ ଜଣିଆ ଷ୍ଟାର ପ୍ରଚାରତ ତାଲିକା। ତେବେ କେଉଁ ଦଳର ଷ୍ଟାର ପ୍ରଚାରକ ଦଳକୁ କେତେ ଫାଇଦା ଦେଉଛନ୍ତି ତାହା ନିର୍ବାଚନ ଫଳାଫଳ ପରେ ଜଣାପଡ଼ିବ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି।

Leave A Reply

Your email address will not be published.