Odisha Link
Bridging the Missing Links in Odisha

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଥମଥର ପାଇଁ ସବୁ ବୁଥରେ ଓ୍ୱେବକାଷ୍ଟିଂ

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ଝାରସୁଗୁଡ଼ା ଉପନିର୍ବାଚନ। ଶେଷ ହେଲା ଉପନିର୍ବାଚନ ପାଇଁ ପ୍ରଚାର। ଝାରସୁଗୁଡ଼ାବାସୀ ବାଛିବେ ମନ ପସନ୍ଦର ନେତା। ମେ’ ୧୦ରେ ପଡ଼ିବ ଭୋଟ୍। ଚଳିତ ଉପନିର୍ବାଚନକୁ ସୁରୁଖୁରରେ ପରିଚାଳିତ କରିବା ପାଇଁ ନିର୍ବାଚନ କମିଶନର ନେଇଛନ୍ତି ପଦକ୍ଷେପ। ସମସ୍ତ ବୁଥରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବାକୁ ଥିବା ବେଳେ ମତଦାନର ଦେଢ଼ ଘଣ୍ଟା ପୂର୍ବରୁ ମକ୍ ପୋଲିଂ କରାଯିବ। ସ୍ୱଚ୍ଛତା ଓ ବୁଥ ଦଖଲକୁ ରୋକିବା ପାଇଁ ସମସ୍ତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି।

ପ୍ରଥମଥର ପାଇଁ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥରେ ହେବ ଓ୍ବେବକାଷ୍ଟିଂ। ଚଳିତଥର ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର ଥିବାବେଳେ ଏଥିରେ ୧ ଲକ୍ଷ ୧୦ ହଜାର ୩୨୦ ଜଣ ପୁରୁଷ, ୧ ଲକ୍ଷ ୧୦ ହଜାର ୬୮୭ ଜଣ ମହିଳା ଓ ୬୩ ଜଣ କିନ୍ନର ଭୋଟର ରହିଛନ୍ତି। ଅନ୍ୟପଟେ ପୋଲିଂ ଅଧିକାରୀମାନେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରେ ପହଞ୍ଚି ସାରିଛନ୍ତି। ସେମାନେ ମତଦାନ ପୂର୍ବରୁ ନିର୍ବାଚନ ମଣ୍ଡଳୀରେ ଥିବା ସେମାନଙ୍କ ନିର୍ଦ୍ଧାରିତ ବୁଥକୁ ଯିବେ ବୋଲି ସୂଚନା ରହିଛି।

ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ପାଇଁ ମୋଟ ୨୫୩ଟି ବୁଥ୍ କରାଯାଇଛି। ସେଥିମଧ୍ୟରୁ ୨୬ଟି ପିଙ୍କ୍ ବୁଥ୍ କେବଳ ମହିଳା ଭୋଟରଙ୍କ ପାଇଁ କରାଯାଇଛି। ମତଦାନକୁ ଶୃଙ୍ଖଳିତ କରିବା ପାଇଁ ପ୍ରତି ବୁଥରେ ୪ଜଣ ଲେଖାଏଁ ପୋଲିଂ ଅଫିସରଙ୍କୁ ମିଶାଇ ମୋଟ ୧ହଜାର ୧୨ଜଣ ପୋଲିଂ ଅଫିସର ନିୟୋଜିତ ହେବେ। ଏଥିସହିତ ୯୬ ଜଣ ପୋଲିଂ ଅଧିକାରୀଙ୍କୁ ସଂରକ୍ଷିତ ରଖାଯିବା ସହ ୬୯ଟି ବୁଥରେ ମାଇକ୍ରୋ ଅବଜର୍ଭର ନିଯୁକ୍ତ କରାଯିବ।

ମୋଟ୍ ୧,୧୫୫ ପୋଲିସ ଅଧିକାରୀଙ୍କ ସମେତ ୮୧୪ ପୁଲିସ କର୍ମଚାରୀ, ୧୭ ପ୍ଲାଟୁନ ସଶସ୍ତ୍ର ପୁଲିସସ ଫୋର୍ସ ମୁତୟନ, ୩୨୩ ହାବିଲଦାର/ କନଷ୍ଟେବଳ, ମତଦାନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୨୦୫ ଜଣ ହୋମଗାର୍ଡ ଏବଂ ୭ ସିଏପିଏଫ୍ ମୁତୟନ ହେବେ। ନିର୍ବାଚନମଣ୍ଡଳୀର ୧୪୪ଟି ବୁଥରେ ସିଏପିଏଫ୍ ଯବାନ ମୁତୟନ ହେବେ ବୋଲି ସିଇଓ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.