Odisha Link
Bridging the Missing Links in Odisha

ଝାରସୁଗୁଡା ଉପ-ନିର୍ବାଚନ: କିଏ ମାରିବ ବାଜି, ଭୋଟ ବାକ୍ସରେ ରହିଛି ତ୍ରିମୁଖୀ ଲଢ଼େଇର ଫଳାଫଳ

ସୋସିଆଲ ମିଡିଆରେ ଦୀପାଳି ଦାସଙ୍କ ବିଜୟ ଆଶାରେ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ଶୁଭେଚ୍ଛକ।

ଓଏଲ୍‌ ବ୍ୟୁରୋ: ଝାରସୁଗୁଡା ଉପ-ନିର୍ବାଚନ ପାଇଁ ମେ’ ୧୦ରେ ସରିଛି ଭୋଟଗ୍ରହଣ। କିଏ ଜିତିବ, କିଏ ହାରିବ ତାହାର ଚାଲିଛି ଅଙ୍କକଷା। ଭୋଟ ବାକ୍ସରେ ରହିଛି ଝାରସୁଗୁଡ଼ାବାସୀଙ୍କ ମନ ପସନ୍ଦର ନେତାଙ୍କ ବିଜୟର ନାମ। ଝାରସୁଗୁଡାରେ ତ୍ରିମୁଖୀ ଲଢେଇ ହୋଇଥିବା କୁହାଯାଉଥିବା ବେଳେ ଶାସକଦଳର ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ପରିମାଣ ଭୋଟରେ ବିଜୟ ହେବା କଥାକୁ ନେଇ ଚର୍ଚ୍ଚା। ଅନ୍ୟପଟେ, ସୋସିଆଲ ମିଡିଆରେ ଦୀପାଳି ଦାସଙ୍କ ବିଜୟ ଆଶାରେ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ଶୁଭେଚ୍ଛକ।

ଝାରସୁଗୁଡା ଉପ-ନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟ ହାସଲ କରିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପ-ସଭାପତି ଦେବୀ ମିଶ୍ର। ଉପ-ନିର୍ବାଚନର ଫଳାଫଳକୁ ନେଇ ଦେବୀ କହିଛନ୍ତି, ଅଧିକ ଭୋଟିଂ ଆମ ପାଇଁ ସହାୟକ ହେବ। ଜନାଦେଶ ବିଜେଡି ସପକ୍ଷରେ ଯିବ। ଦୀପାଳି ଦାସଙ୍କୁ ଲୋକେ ଆର୍ଶୀବାଦ ଦେଇଛନ୍ତି ସେ ହିଁ ବିଜୟ ହାସଲ କରିବେ। ୨୦୧୯ର ମାର୍ଜିନି କମିବ ନା ବଢିବ ପ୍ରଶ୍ନରେ ଦେବୀ ମିଶ୍ର କହିଛନ୍ତି କମିବା ବଢିବା ସାଙ୍ଗରେ କିଛି ନାହିଁ। ଉଣା ଅଧିକେ ୧୦ କି ୨୦ ପ୍ରତିଶତ ଯଦି ଏପଟ ସେପଟ ହୁଏ ସେଇଟାକୁ ଧରାଯାଏ ନାହିଁ। କିଛି ଫରକ ନାହିଁ। ୩୦ ହଜାରରୁ ଅଧିକ ମାର୍ଜିନି ହେଲେ ବି ତାହା ବିପୁଳ ବିଜୟ ବୋଲି ଦେବୀ ମିଶ୍ର କହିଛନ୍ତି।

ଅନ୍ୟପଟେ, ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଝାରସୁଗୁଡା ଉପନିର୍ବାଚନରେ ତ୍ରିମୁଖୀ ଲଢେଇ ହୋଇଛି। ଏବଂ ବିଜୟ ପାଇଁ ଭୋଟ ବ୍ୟବଧାନ ଖୁବ୍ କମ ରହିବ। ତେବେ କଂଗ୍ରେସ ନିଶ୍ଚିତ ଜିିତିବ ଓ ଦଳ ଫୁଲ୍ ଫାଇଟ ଦେଇଛି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେହିପରି ଭୋଟ୍ ପ୍ରତିଶତ ଅଧିକ ହୋଇଛି। ଇତିହାସ କହୁଛି ଭୋଟ୍ ପ୍ରତିଶତ ଅଧିକ ହେଲେ ସରକାର ବିରୋଧରେ ଯାଏ ବୋଲି ବିଜେପି କହିଛି। ଧାମନଗର ଭଳି ଝାରସୁଗୁଡାରେ ଭୋଟର ନୀରବ ଥିଲେ। ବିଜେପିକୁ ଅକୁଣ୍ଠ ସମର୍ଥନ ମିଳିଛି ବୋଲି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି।

ଝାରସୁଗୁଡା ଉପ-ନିର୍ବାଚନ ଗତ ମେ’ ୧୦ରେ ଭୋଟ ଗ୍ରହଣ ହୋଇଥିବାବେଳେ ମେ’ ୧୩ରେ ଫଳାଫଳ ପ୍ରକାଶ ପାଇବ। ପ୍ରଥମଥର ପାଇଁ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥରେ ହେବ ଓ୍ବେବକାଷ୍ଟିଂ କରାଯାଇଥିଲା। ଚଳିତଥର ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର ଥିବାବେଳେ ଏଥିରେ ୧ ଲକ୍ଷ ୧୦ ହଜାର ୩୨୦ ଜଣ ପୁରୁଷ, ୧ ଲକ୍ଷ ୧୦ ହଜାର ୬୮୭ ଜଣ ମହିଳା ଓ ୬୩ ଜଣ କିନ୍ନର ଭୋଟର ରହିଛନ୍ତି। ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ପାଇଁ ମୋଟ ୨୫୩ଟି ବୁଥ୍ କରାଯାଇଥିଲା।

Leave A Reply

Your email address will not be published.