Odisha Link
Bridging the Missing Links in Odisha

‘ଆମେ ଚାହୁଁଛୁ ମିଳାମିଶା, ହେଲେ ଝିଅକୁ ନିର୍ଯାତନା ଦେବେନି ବୋଲି ପ୍ରତିଶ୍ରୁତି ଦିଅନ୍ତୁ’

ମାତ୍ର ସେମାନେ ଆଉ ଝିଅକୁ ନିର୍ଯାତନା ଦେବେନି ବୋଲି ପ୍ରତିଶ୍ରୁତି ଦେବା ଦରକାର।

ଓଏଲ୍‌ ବ୍ୟୁରୋ: କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ପୁରା ପରିବାର ନାଁରେ ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ। ଅଭିଯୋଗକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଶଶିଭୂଷଣ ବେହେରାଙ୍କ ବୋହୂ ରୋନାଲିଙ୍କ ବାପା ଗୋଖା ବେହେରା ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଆମେ ଚାହୁଁଛୁ ମିଳାମିଶା, ସେମାନେ ଆସିଲେ ହୋଇପାରିବ। ମାତ୍ର ସେମାନେ ଆଉ ଝିଅକୁ ନିର୍ଯାତନା ଦେବେନି ବୋଲି ପ୍ରତିଶ୍ରୁତି ଦେବା ଦରକାର।

ବିଧାୟକ ଶଶିଭୂଷଣ ଓ ତାଙ୍କ ପରିବାର ନାଁରେ ବୋହୂ ରୋନାଲିଙ୍କ ଅଭିଯୋଗ ମାମଲାରେ ତାଙ୍କ ବାପା ଆହୁରି ମଧ୍ୟ କହିଛନ୍ତି, ଝିଅ ବାଣୀବିହାରରେ ପାଠ ପଢ଼ିବାକୁ ଭୁବନେଶ୍ୱର ଯାଉଛି। ତା’ ଜୀବନ ପ୍ରତି ବିପଦ ନାହିଁ ବୋଲି କହିପାରିବୁ ନାହିଁ। ଦରକାର ପଡ଼ିଲେ ପୁଲିସର ସୁରକ୍ଷା ମାଗିବୁ ବୋଲି କହିଛନ୍ତି ରୋନାଲିଙ୍କ ବାପା।

ଅନ୍ୟପଟେ, ଯୌତୁକ ନିର୍ଯାତନା ଅଭିଯୋଗକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏନେଇ ମୁହଁ ଖୋଲିଛନ୍ତି ଶଶିଭୂଷଣ ବେହେରା। ସେ କହିଛନ୍ତି, ଅଭିଯୋଗକୁ ନେଇ ମର୍ମାହତ, ଦୁଃଖିତ ଓ ଆଶ୍ଚର୍ଯ୍ୟଚକିତ। ୨ ବର୍ଷ ତଳେ ତାଙ୍କ ବାପା ଆସି ଝିଅକୁ ନେଇ ଯାଇଥିଲେ। ବୋହୂ ମୋଟ୍ ୧ ମାସ ୧୧ ଦିନ ଘରେ ରହିଥିଲା ୨ ବର୍ଷ ପରେ ଏଭଳି ଅଭିଯୋଗ ଆସିବା ଦୁଃଖ ଦେଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାବାସୀ ଜାଣିଛନ୍ତି ମୁଁ କିଏ, ମୋ ଚରିତ୍ର ସଂପର୍କରେ ଜାଣିଛନ୍ତି। କ୍ଷମତା, ପଦପଦବୀ ସଂପର୍କରେ କେବେ ବି ଲବି କରିନି। ଯୌତୁକ କଥା ତ ବହୁତ ବଡ଼ କଥା, ଗୋଟିଏ ବି ଜିନିଷ ଆଣିନି। କେବଳ ପରମ୍ପରା ପାଇଁ ଗୋଟିଏ ବେଡ୍‌ସିଟ୍ କେବଳ ଦେବାକୁ କହିଥିଲି। ଆପୋଷ ଆଲୋଚନା ଚାଲିଥିବା ବେଳେ ଏଭଳି ଅଭିଯୋଗ ଅତ୍ୟନ୍ତ ଦୁଃଖଦାୟକ ଏବଂ ଏଭଳି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ବିଧାୟକ ଶଶିଭୂଷଣ ବେହେରା।

ଖବର ଅନୁସାରେ, ସ୍ବାମୀ, ଶାଶୁ, ଶ୍ବଶୁରଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ନେଇ ଥାନାରେ ଏତଲା ଦେଇଛନ୍ତି କେନ୍ଦ୍ରାପଡ଼ା ବିଧାୟକ ଶଶି ଭୂଷଣ ବେହେରାଙ୍କ ବୋହୂ ରୋନାଲି। ଶଶି ଭୂଷଣ ବେହେରାଙ୍କ ବୋହୂ ରୋନାଲିଙ୍କ ଅଭିଯୋଗ ଅନୁସାରେ, ଶଶିଭୂଷଣ, ତାଙ୍କ ପୁଅ ଓ ପତ୍ନୀଙ୍କ ଯୌତୁକ ନିର୍ଯାତନା ଓ ମାରପିଟ କରୁଥିଲେ। ବାହାଘର ପରେ ଶାଶୁଘର ଲୋକେ ୪୦ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗ ଆଣିଛନ୍ତି ଶଶି ଭୂଷଣ ବେହେରାଙ୍କ ବୋହୂ ରୋନାଲି।

ଆହୁରି ମଧ୍ୟ ଶଶିଭୂଷଣଙ୍କ ପୁଅ ୪୦ ଲକ୍ଷ ମାଗି ମାରପିଟ କରୁଥିବା ଅଭିଯୋଗ କରିଛନ୍ତି ଶଶିଭୂଷଣଙ୍କ ବୋହୂ ରୋନାଲି। ୪୦ ଲକ୍ଷ ଦାବିରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଏତଲା। ଏନେଇ ଶ୍ବଶୁର ଶଶିଭୂଷଣଙ୍କୁ କହିବାରୁ ସେ ଗାଳିଗୁଲଜ କରିଥିବା ଏତଲା ଦେଇଛନ୍ତି ତାଙ୍କ ବୋହୂ। କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ବୋହୂଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ବାଙ୍କୀ ଥାନା ପୁଲିସ। ଶଶିଭୂଷଣ, ପୁଅ ସତ୍ୟପ୍ରକାଶ, ପତ୍ନୀ ସୁପ୍ରଭାଙ୍କ ସହ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.