Odisha Link
Bridging the Missing Links in Odisha

ନବୀନଙ୍କ ସଂକେତ: ୨୦୨୪ରେ ପୁଣି ପ୍ରଧାନମନ୍ତ୍ରୀ ହେବେ ମୋଦି

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ଏକ ବର୍ଷରୁ କମ୍‌ ସମୟ ରହିଛି। ଯେଉଁଥିପାଇଁ ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ୨୦୨୪ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ହେବେ ବୋଲି ଆଜି ପରୋକ୍ଷରେ କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନର ଶୁଭାରମ୍ଭ ସମାରୋହରେ ଏକଥା କହିଛନ୍ତି ନବୀନ ପଟ୍ଟନାୟକ।

ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ସମାରୋହରେ ପୁରୀ ଅନ୍ତର୍ଜାତୀୟ ଏୟାରପୋର୍ଟ ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକ କହିଛନ୍ତି ଯେ, ପୁରୀ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ମୁଁ ନିକଟରେ ପ୍ରଧାନମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲି। ମୁଁ ଆଶା କରୁଛି ୩/୪ ବର୍ଷରେ ପୁରୀ ଆନ୍ତର୍ଜାତିକ ବିମାନ ବନ୍ଦର ତିଆରି କାମ ସରିବ ଓ ପ୍ରଧାନମନ୍ତ୍ରୀ ପୁରୀ ଆସି ଏହାକୁ ଉଦଘାଟନ କରିବେ । ପରେୋକ୍ଷରେ ବିମାନବନ୍ଦର ଉଦଘାଟନ ହେବା ବେଳକୁ ମୋଦି ହିଁ ପ୍ରଧାନମନ୍ତ୍ରୀ ଥିବେ ବୋଲି ସଙ୍କେତ ଦେଇଛନ୍ତି ନବୀନ। ତେଣୁ ୨୦୨୪ ସାଧାରଣ ନିର୍ବାଚନରେ ମୋଦି ପୁଣି ବିଜୟୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ନିଶ୍ଚିତ ଥିବା ଏକଥାରୁ ଅନୁମାନ କରାଯାଉଛି।

ଆଜି ପୁରୀ-କୋଲକାତା ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ପୁରୀ ଓ କଟକ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି। ଅନୁଗୁଳ-ସୁକିନ୍ଦା ନୂଆ ରେଳଲାଇନ୍, ସମ୍ବଲପୁର-ଟିଟିଲାଗଡ଼ ଲାଇନ୍ ଡବଲିଂ ଏବଂ ଆଉ ଦୁଇଟି ରେଳଲାଇନ୍ ଲୋକାର୍ପଣ କରାଯାଇଛି। ଓଡ଼ିଶାରେ ରେଳ ଲାଇନର ଶହେ ପ୍ରତିଶତ ବିଦ୍ୟୁତକରଣ କାର୍ଯ୍ୟର ମଧ୍ୟ ଲୋକାର୍ପଣ କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିସହିତ ପୁରୀ-କୋଣାର୍କ ନୂଆ ରେଳଲାଇନ୍ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁରୀରୁ ସମ୍ବଲପୁର ଦେଇ ରାଉରକେଲା ଏବଂ ଭୁବନେଶ୍ବରରୁ ହାଇଦ୍ରାବାଦ ମଧ୍ୟରେ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମଧ୍ୟ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ବାରା ଏସବୁ ସହର ମଧ୍ୟରେ ଶୀଘ୍ର ଯାତ୍ରା କରିପାରିବେ ଯାତ୍ରୀ। ଏଥିସହ ଅନୁଗୁଳ- ସୁକିନ୍ଦା ଏବଂ ହରିଦାସପୁର-ପାରାଦୀପ ଲାଇନରେ ଶୀଘ୍ର ପ୍ୟାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.