Odisha Link
Bridging the Missing Links in Odisha

୫୦ ଶବ ଉଦ୍ଧାର, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା। ଦୁଇଟି ଏକ୍ସପ୍ରେସ୍‌ ଧକ୍କା ହେବାରୁ ୫୦ରୁ ଉର୍ଦ୍ଧ୍ବ ଜୀବନ ଚାଲିଯାଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ। ଏନେଇ ଦକ୍ଷିଣ-ପୂର୍ବ ରେଲବାଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୃତ୍ୟୁ ସଂଖ୍ୟା ଅଧିକ ବୃଦ୍ଧି ପାଇବା ନେଇ ଅନୁମାନ କରାଯାଉଛି।

ଅନ୍ୟପଟେ ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୧୦୦ରୁ ଅଧିକ ଆମ୍ବୁଲାନ୍ସ ଓ ୫୦ ବସ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଖଡ଼ଗପୁର ଡିଆର୍‌ଏମ୍‌ ସୂଚନା ଦେଇ କହିଛନ୍ତି, ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। କିଛି ସମୟ ପରେ ସେହିବାଟେ ଆସୁଥିବା ଏକ୍ସପ୍ରେସ ଧକ୍କା ହୋଇଥିଲା। ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଏସଆରସି ଅଫିସରେ ସ୍ଥିତିର ସମୀକ୍ଷା କରିବା ପରେ ଆଜି ସକାଳେ ଦୁର୍ଘଟଣାସ୍ଥଳକୁ ଯିବେ ବୋଲି ସୂଚନା ଦେଇଥିବାବେଳେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଘଟଣାସ୍ଥଳରେ ପହଁଞ୍ଚିଛନ୍ତି।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୋଆରୁ ଦୁର୍ଘଟଣାସ୍ଥଳୀ ଅଭିମୁଖେ ଆସୁଥିବା ଜଣାପଡ଼ିଛି। କେନ୍ଦ୍ର ରେଳମନ୍ତ୍ରୀ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିବାବେଳେ ଗୁରୁତରଙ୍କୁ ୨ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କା ସହାୟତା ମିଳିବ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.