Odisha Link
Bridging the Missing Links in Odisha

ରେଳବାଇର ତ୍ରୁଟିରୁ ବାହାନଗା ଟ୍ରେନ୍‌ ଦୁର୍ଘଟଣା ହୋଇଛି: ସନ୍ତୋଷ ସିଂହ ସାଲୁଜା

ଘଟଣାକୁ ଲୁଚାଇବା ପାଇଁ ସିଗନାଲ ତ୍ରୁଟି, ଷ୍ଟେସନ ମାଷ୍ଟରର ଭୁଲ ଥିବା ରିପୋର୍ଟ ଦିଆଯାଇଛି

ଓଏଲ ବ୍ୟୁରୋ: କରମଣ୍ଡଳର କଳାରାତିକୁ ପୁରିଛି ଏକ ମାସ। ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ହୋଇଥିବା ଟ୍ରେନ୍‌ ଟ୍ରାଜେଡିକୁ ପୁରିଛିଏକ ମାସ। ଟ୍ରେନ୍‌ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି କଟକ ବଡ଼ ମେଡିକାଲ, ଭୁବନେଶ୍ବରର ଏମ୍ସରେ ବହୁ ଆହତଙ୍କ ଚିକିତ୍ସା ଚାଲିଛି।

ଦୁର୍ଘଟଣାର ପ୍ରାୟ ଏକ ମାସ ପରେ ଆସିଛି ରେଲଓ୍ବେ କମିଶନରଙ୍କ ରିପୋର୍ଟ। ଏହି ରିପୋର୍ଟକୁ ନେଇ ନିଜର ମତ ରଖିଛନ୍ତି ସନ୍ତୋଷ ସିଂହ ସାଲୁଜା। ସେ କହିଛନ୍ତି, ରେଳ ଦୁର୍ଘଟଣା ଘଟଣାକୁ ଲୁଚାଇବା ପାଇଁ ସିଗନାଲ ତ୍ରୁଟି, ଷ୍ଟେସନ ମାଷ୍ଟରର ଭୁଲ ଥିବା ରିପୋର୍ଟ ଦିଆଯାଇଛି। ରେଳବାଇର ତ୍ରୁଟିରୁ ଏହି ଦୁର୍ଘଟଣା ହୋଇଛି ବୋଲି ସନ୍ତୋଷ ସିଂହ ସାଲୁଜା କହିଛନ୍ତି।

ସିଗନାଲ୍‌ ତ୍ରୁଟିର ଦୁର୍ଘଟଣା !

ସିଗନାଲିଂ ଏବଂ ଦୂରସଞ୍ଚାର ବିଭାଗର ତ୍ରୁଟି ପାଇଁ ଏତେ ବଡ଼ ଟ୍ରେନ ଦୁର୍ଘଟଣା ଘଟିଥିବା ରେଳ ସୁରକ୍ଷା କମିଶନ ରିପୋର୍ଟ ଦାଖଲ କରିଛନ୍ତି। ରେଳବୋର୍ଡ଼ ନିକଟରେ ଏହି ରିପୋର୍ଟ ଦାଖଲ ହୋଇଛି। ଏହାବାଦ ତ୍ରୁଟିପୂର୍ଣ୍ଣ ୱେୟାରିଂ ମଧ୍ୟ ଆଉ ଏକ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ବାହାନଗା ବଜାର ଷ୍ଟେସନରେ ଲେଭଲ କ୍ରସିଂ ଫାଟକ-୯୪ରେ ଇଲେକ୍ଟ୍ରିକ ଲିଫ୍ଟିଙ୍ଗ ବ୍ୟାରିୟରକୁ ବଦଳାଇ କାର୍ଯ୍ୟ ନ କରାଯିବା ମଧ୍ୟ ଏକ ଭୁଲ ଥିଲା ବୋଲି କୁହାଯାଇଛି। ଏଥିରେ ଏକ ଟିମ ୱେୟାରିଂ ସର୍କିଟକୁ ସଜାଡ଼ିଥିଲା ଏବଂ ଏହାକୁ ଦୋହରାଇରେ ବିଫଳ ହୋଇଥିଲା।

ବଦଳିଲେଣି ୬ ଅଧିକାରୀ:

ଟ୍ରେନ୍‌ ଦୁର୍ଘଟଣାର ୨୦ ଦିନ ପରେ ଅର୍ଥାତ୍‌ ଜୁନ୍‌ ୨୨ରେ ଖଡ଼ଗପୁର ଡିଆର୍‌ଏମ୍‌, ଦକ୍ଷିଣ-ପୂର୍ବ ରେଳ ଜୋନ୍‌ର ପ୍ରିନ୍ସିପାଲ୍‌ ଚିଫ୍‌ ସିଗ୍‌ନାଲ୍‌ ଓ ଟେଲିକମ୍ୟୁନିକେସନ ଇଂଜିନିୟର, ପ୍ରିନ୍‌ସିପାଲ୍‌ ଚିଫ୍‌ ସେଫ୍ଟି ଅଫିସର, ପ୍ରିନ୍ସିପାଲ୍‌ ଚିଫ୍‌ ସିକ୍ୟୁରିଟି କମିସନର ଓ ପ୍ରିନ୍‌ସିପାଲ୍‌ ଚିଫ୍‌ କମର୍ସିଆଲ ମ୍ୟାନେଜରଙ୍କୁ ବଦଳି କରାଯାଇଥିଲା। ସେହିପରି ଦକ୍ଷିଣ-ପୂର୍ବ ରେଳ ଜୋନ୍‌ର ଜିଏମ୍‌ ଅର୍ଚ୍ଚନା ଯୋଶୀଙ୍କୁ ବଦଳି କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୬ଜଣ ବରିଷ୍ଠ ଅଧିକାରୀମାନଙ୍କ ବଦଳି କରାଯାଇସାରିଛି।

ଏବେ ବି ଚିହ୍ନଟ ଅପେକ୍ଷାରେ ୫୨ ମୃତଦେହ:

ଏମସରେ ଏବେ ବି ୫୨ ମୃତଦେହ ଚିହ୍ନଟ ଅପେକ୍ଷାରେ ଏମ୍‌ସରେ ରହିଛି। ମୃତଦେହଗୁଡ଼ିକର ପରିଚୟ ଏଯାଏ ମିଳି ପାରୁନାହିଁ। ଦାବିଦାରଙ୍କ ଡିଏନ୍ଏ ନମୁନା ସହ ମୃତଦେହରୁ ସଂଗୃହୀତ ଡିଏନ୍ଏ ରିପୋର୍ଟ ମେଳ କରାଯିବା ପରେ ପର୍ଯ୍ୟାୟକ୍ରମେ ଚିହ୍ନଟ ହେବ ବୋଲି କୁହାଯାଉଛି। କିନ୍ତୁ ମୃତଦେହକୁ ନେଇ ଦ୍ବନ୍ଦ ଦୂର ହୋଇପାରୁନାହିଁ।

Leave A Reply

Your email address will not be published.