+୨ ପ୍ରଥମ ମେରିଟ୍ ଲିଷ୍ଟ୍: ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଚୟନ, ରେଭେନ୍ସାର ସର୍ବାଧିକ କଟ୍ଅଫ୍
କଳା ଓ ବାଣିଜ୍ୟରେ ରାଉରକେଲା ସରକାରୀ କଲେଜ ଦ୍ୱିତୀୟରେ ରହିଛି।

ଓଏଲ୍ ବ୍ୟୁରୋ: ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା, ଅର୍ଥାତ ଯେଉଁମାନେ ଯୁକ୍ତଦୁଇରେ ନାମଲେଖା ପାଇଁ ଆବେଦନ କରାଇଥିଲେ, ସେମାନଙ୍କ ପାଇଁ ପ୍ରକାଶ ପାଇଛି ପ୍ରଥମ କଟ୍ ଅଫ୍ ତାଲିକା। କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍ସା ବିଶ୍ଵବିଦ୍ୟାଳୟ।
ବିଜ୍ଞାନରେ ୯୧.୬୭ ପ୍ରତିଶତ, ବାଣିଜ୍ୟରେ ୭୯.୨୦ ପ୍ରତିଶତ, କଳାରେ ୮୦ ପ୍ରତିଶତ ସହ ରେଭେନ୍ସା ଆଗରେ ରହିଛି। ସେହିପରି ଏଫଏମ କଲେଜରେ ବିଜ୍ଞାନ କଟ ଅଫ୍ ମାର୍କ ୯୦ ପ୍ରତିଶତ। ୮୯ ପ୍ରତିଶତ କଟ୍ ଅଫ୍ ସହ ତୃତୀୟ ସ୍ଥାନରେ ବିଜେବି କଲେଜ ରହିଛି। କଳା ଓ ବାଣିଜ୍ୟରେ ରାଉରକେଲା ସରକାରୀ କଲେଜ ଦ୍ୱିତୀୟରେ ରହିଛି।
ତେବେ ପ୍ରଥମ କଟ୍ ଅଫରେ ୪,୧୨,୩୬୮ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ପ୍ରଥମ କଟ୍ ଅଫରେ ୨ଲକ୍ଷ ୩ହଜାର ୫୪୩ ଛାତ୍ର ଏବଂ ୨ଲକ୍ଷ ୮ହଜାର ୭୭୮ ଛାତ୍ରୀଙ୍କୁ ଚୟନ କରାଯାଇଛି। କଳାରେ ସର୍ବାଧିକ ୨,୫୩,୧୭୮ ଛାତ୍ରଛାତ୍ରୀ ଏବଂ ବିଜ୍ଞାନରେ ୧,୨୧,୦୨୩ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ସେହିପରି ବାଣିଜ୍ୟରେ ୨୫ହଜାର ୧୬୮ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଗତକାଲିଠୁ ଅର୍ଥାତ ଜୁଲାଇ ୭ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ।
ସୂଚନା ଅନୁସାରେ, ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ସାମ୍ସ୍ ପୋର୍ଟାଲରେ ଅନଲାଇନ ଆବେଦନ କରିଥିଲେ। ମେ ୨୯ରୁ ନାମଲେଖା ଆବେଦନ ଆରମ୍ଭ ହୋଇଥିବା ବେଳେ ଜୁନ୍ ୩୦ରେ ଶେଷ ହୋଇଥିଲା। ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ତାରିଖ ସୁଦ୍ଧା ଶେଷ କରାଯିବ। ଅଗଷ୍ଟ ୧ ତାରିଖରୁ ପାଠପଢ଼ା ଆରମ୍ଭ ହେବା ନେଇ ସୂଚନା ଜାରି ହୋଇଛି।