କମୁଛି ଓଡ଼ିଶାର ଋଣଭାର, ସଂସଦରେ ତଥ୍ୟ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ଓଏଲ୍ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ରଖିଥିବା ତଥ୍ୟ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ସାରା ଦେଶରେ ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାର ଋଣଭାର କମିଛି। ରାଜ୍ୟ ସରକାରଙ୍କ ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଲଗାତାର ଭାବେ ଜାତୀୟସ୍ତରରେ ଚର୍ଚ୍ଚିତ ହୋଇଛି। ଓଡ଼ିଶାର ଶୃଙ୍ଖଳିତ ଓ ଉତ୍କୃଷ୍ଟ ବିତ୍ତୀୟ ପରିଚାଳନାକୁ କେନ୍ଦ୍ର ସରକାର ବି ସ୍ବୀକାର କରିଛନ୍ତି। ନିୟମିତ ଆର୍ଥିକ ସଂସ୍କାର ଏବଂ ଦୃଢ଼ ପ୍ରଶାସନିକ ନିଷ୍ପତ୍ତି ଯୋଗୁଁ ବିତ୍ତୀୟ ଦୃଷ୍ଟିରୁ ଓଡ଼ିଶା ସବଳ ହୋଇଛି। ରାଜ୍ୟର ଅର୍ଥନୀତି କ୍ରମାଗତ ଭାବେ ସୁଦୃଢ଼ ହୋଇଚାଲିଛି। ବିତ୍ତୀୟ ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା ରାଜସ୍ବ ବଳକା ରାଜ୍ୟରେ ପରିଣତ ହୋଇଛି।
ସୂଚନା ଅନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଓଡ଼ିଶାର ଋଣଭାର ୧୨ ପ୍ରତିଶତ କମିଥିବା ବେଳେ ବାକି ଦେଶର ସମସ୍ତ ରାଜ୍ୟମାନଙ୍କର ଋଣଭାର ବଢ଼ିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶା ଉପରେ ମୋଟ ରଣଭାର ୧୪୧୨୪୦ କୋଟି ଟଙ୍କା ଥିଲା। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହା ୧ ଦଶମିକ ୮ ପ୍ରତିଶତ ହ୍ରାସ ପାଇଥିଲା। ସେହିପରି ୨୦୨୧-୨୨ ବର୍ଷରେ ରଣଭାର ୧ ଲକ୍ଷ ୨୯ ହଜାର ୩୫୬ କୋଟିକୁ ହ୍ରାସ ପାଇଥିବା ବେଳେ ହ୍ରାସର ପ୍ରତିଶତ ୮୪ ପ୍ରତିଶତ ଥିଲା ଏହାପରେ ୨୦୨୨-୨୩ ଆର୍ଥିକ ବର୍ଷରେ ଋଣଭାର ୧୧୩୮୫୬ କୋଟିକୁ ହ୍ରାସ ପାଇବା ସହ ପୂର୍ବ ବର୍ଷ ତୁଳନାରେ ଋଣଭାର ୧୨ ପ୍ରତିଶତ କମିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ତଥ୍ୟ ରଖିଛନ୍ତି।