Odisha Link
Bridging the Missing Links in Odisha

ରାଜ୍ୟରେ ଚିନ୍ତା ବଢ଼ାଉଛି ଡେଙ୍ଗୁ, ୫୦୦ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଡେଙ୍ଗୁ ରୋଗକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବଢ଼ିବାରେ ଲାଗିଛି। ତେବେ ସାରା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ କରାଯାଇଥିବାବେଳେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଡେଙ୍ଗୁର ହଟସ୍ପଟ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର। କେବଳ ରାଜଧାନୀରେ ୨ ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି।

ବିଏମସି କମିସନର କହିଛନ୍ତି, ଡେଙ୍ଗୁ ସଂକ୍ରମଣ ରୋକିବା ପାଇଁ ଚିକିତ୍ସା ଅପେକ୍ଷା ସଚେତନ ବୃଦ୍ଧି ଅଧିକ ଜରୁରୀ ହୋଇ ପଡିଛି। ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି। ଭଙ୍ଗା ଟିଣ, ପୁରୁଣା ଟାୟାର, ଟାଙ୍କି ଆଦି ସଫା କରାଯାଉଛି। ଘର ଆଖପାଖ ଅଞ୍ଚଳକୁ ସଫା ରଖିବା ପାଇଁ ସଚେତନ କରାଯିବା ସହ ଧୂଆଁ ଓ ମଶାତେଲ ପକାଯାଉଛି। ଜ୍ଵର ହେଲେ ନ ଲୁଚାଇ ତୁରନ୍ତ ଡେଙ୍ଗୁ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିସନର। ତେବେ ରାଜ୍ୟରେ ଡେଙ୍ଗୁ କାୟା ମେଲାଉଥିବା ବେଳେ ଭୁବନେଶ୍ୱରରେ ସ୍ଥିତି ବିଗିଡିବାରେ ଲାଗିଛି। ବର୍ଷାଦିନ ହୋଇଥିବାରୁ ସଂକ୍ରମଣ ଅଧିକ ବ୍ୟାପିବା ଆଶଙ୍କା ରହିଛି। ତେବେ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସଚେତନତା ମଧ୍ୟ ଜାରି କରାଯାଇଛି।

Leave A Reply

Your email address will not be published.