ମୋଦି ଜଣେ ନିର୍ଭୀକ ବକ୍ତା: ବିଜେଡି ସାଂସଦ

ଓଏଲ୍ ବ୍ୟୁରୋ: ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ। ଆଉ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଲା ବିିଜୁ ଜନତା ଦଳ। ଆଇଏନ୍ଡିଆଇଏ ପକ୍ଷରୁ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ପକ୍ଷରୁ ବିରୋଧ କରିଛନ୍ତି ସାଂସଦ ପିନାକୀ ମିଶ୍ର। ଏଥିସହିତ କଂଗ୍ରେସକୁ ଟାର୍ଗେଟ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୁରି ପ୍ରଶଂସା କରିଛନ୍ତି ଶ୍ରୀ ମିଶ୍ର।
ଶ୍ରୀ ମିଶ୍ର ସଂସଦରେ କହିଛନ୍ତି ଯେ ବର୍ତ୍ତମାନ ସମୟ, ଅନାସ୍ଥା ପ୍ରସ୍ତାବ ଆଣିବାର ସମୟ ନୁହେଁ। ପରସ୍ପର ପରସ୍ପରକୁ ଦୋଷ ଦେବା ପାଇଁ ଏହା ଉପଯୁକ୍ତ ସମୟ ନୁହଁ। କଂଗ୍ରେସର ଦୁର୍ନୀତିକୁ ବିରୋଧ କରି ବିଜେଡି ସୃଷ୍ଟି ହୋଇଛି। କଂଗ୍ରେସ ପାର୍ଟି ଆଣିଥିବା ମୋସନକୁ ଆମେ ସମର୍ଥନ କରିପାରିବୁ ନାହିଁ। ଅନାସ୍ଥାକୁ ବିରୋଧ କରିବାର ମଧ୍ୟ ଅନ୍ୟାନ୍ୟ କାରଣ ରହିଛି। ଅନାବଶ୍ୟକ ଭାବେ ଆମେ କେନ୍ଦ୍ର ସହ କଳି କରିବାକୁ ଚାହୁଁ ନାହୁଁ। କେନ୍ଦ୍ର ସରକାର ଆମର ସବୁ ଦାବି ପୂରଣ କରି ନାହାନ୍ତି। ଏହା ପଛରେ ଅର୍ଥନୈତିକ ବାଧ୍ୟ ବାଧକତା ଥାଇପାରେ।
ସେ ଆହୁରି କହିଛନ୍ତି, ଆଜିର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ସୁବକ୍ତା ସାରା ଦେଶରେ ଆଉ କେହି ନାହାନ୍ତି। ରାଜ୍ୟାମାନଙ୍କ ସବୁ ଦାପି ପୂରଣ କରିବା କେନ୍ଦ୍ର ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ । ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପାଇଁ ଅନାସ୍ଥା ପ୍ରସ୍ତାବ ଆଣିବା ଠିକ୍ ହୋଇନି। ଏହା ଦ୍ୱାରା ସମୟ ଅପଚୟ ହେବ, ପରିଣାମ କଣ ହେବ ଜଣା ଅଛି।
ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାର ଆମକୁ ସହଯୋଗ କରିଛନ୍ତି। ନିକଟରେ ଗୃହମନ୍ତ୍ରୀ ଆମ ମୁଖ୍ୟମନ୍ତ୍ରୀଙ୍କୁ ସବୁଠୁ ଲୋକପ୍ରିୟ କହିଛନ୍ତି। ସଂଘୀୟ ବ୍ୟବସ୍ଥାରେ ଆମ ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି। ମାତ୍ର ମଣିପୁରରେ ଯାହା ଘଟିଲା ତାହା ନିଶ୍ଚିତରେ ପରିତାପର ବିଷୟ ବୋଲି ବିଜେଡି ସାଂସଦ ପିନାକୀ ମିଶ୍ର ମତ ରଖିଛନ୍ତି। ମଣିପୁର ଘଟଣା ହୃଦୟ ବିଦାରକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହି ସାରିଛନ୍ତି ବୋଲି ସାଂସଦ ପିନାକୀ ମିଶ୍ର କହିଛନ୍ତି।