Odisha Link
Bridging the Missing Links in Odisha

ସଂସଦରେ ଉଠିଲା ଗମାଙ୍ଗଙ୍କ କଥା, କ’ଣ କହିଲେ ଅମିତ ଶାହ

ଓଏଲ୍‌ ବ୍ୟୁରୋ: ଅନାସ୍ଥା ପ୍ରସ୍ତାବକୁ ନେଇ ଲୋକସଭାରେ ଚାଲିଛି ବିତର୍କ। ଏହାରି ମଧ୍ୟରେ ଆଜି ଲୋକସଭାରେ ଗୃହମନ୍ତ୍ରୀ ଅମିତ ଶାହ ବିବୃତି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଶାସନ ସମୟରେ ହୋଇଥିବା ସଫଳତା ବିଷୟରେ କହିବା ସହିତ ପୂର୍ବରୁ ବିଜେପି ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବିଷୟରେ କହିଛନ୍ତି ଅମିତ ଶାହ। ସବୁଠୁ ବଡ଼କଥା ହେଲା ଅମିତ ଶାହ ତାଙ୍କ ବିବୃତିରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ କଥା ଉଠାଇଛନ୍ତି। ୧୯୯୯ ମସିହା ଏପ୍ରିଲ ୧୭ର କଥା କହିଛନ୍ତି ଶାହ।

ଅମିତ ଶାହ କହିଛନ୍ତି, ଗମାଙ୍ଗଙ୍କ ଗୋଟିଏ ଭୋଟ କେମିତି ଅଟଳ ବିହାରୀ ବାଜପେୟୀଙ୍କ ସରକାରକୁ ଗାଦିଚ୍ୟୁତ କରିଥିଲା। ୧୯୯୯ ମସିହାରେ ବାଜପେୟୀଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଏହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିଲେ ମଧ୍ୟ ଗମାଙ୍ଗ ଲୋକସଭାରେ ଭୋଟ ଦେବାକୁ ଆସିଥିଲେ।

ସେ ଆହୁରି କହିଛନ୍ତି, ସେ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ନଥିଲେ। ତାଙ୍କର ଗୋଟିଏ ଭୋଟ ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କୁ ଗାଦିଚ୍ୟୁତ କରିଥିଲା। ତାଙ୍କ ଭୋଟକୁ ବୈଧ କି ନୁହେଁ, ତା’କୁ ନେଇ ବେଶ ବିତର୍କ ହୋଇଥିଲା। ମୁଖ୍ୟମନ୍ତ୍ରୀ ପରେ ମଧ୍ୟ ସେ ସାଂସଦ ଭାବେ ଭୋଟ ଦେଇଥିଲେ। ବାଚସ୍ପତି ସଂସଦର ଗାରିମା ରକ୍ଷା କରି ତାଙ୍କ ଭୋଟକୁ ବୈଧ ଘୋଷଣା କରିଥିଲେ। ତଥାପି ଆମେ କୌଣସି ଆପତ୍ତି ଉଠାଇ ନଥିଲୁ।

ସେ ଆହୁରି କହିଛନ୍ତି, ଜନତା ଅଛନ୍ତି ସବୁ ଦେଖୁଛନ୍ତି, ସବୁ ଜାଣୁଛନ୍ତି। ଗୋଟିଏ ଭୋଟରେ ଆମ ସରକାର ଭାଙ୍ଗିଯାଇଥିଲା ସତ, ହେଲେ ଶେଷରେ ବହୁତ ବଡ ବହୁମତରେ ଅଟଳ ବିହାରୀ ବାଜପେୟୀ ସରକାର ଗଢିଥିଲେ। ଆମେ ସତ୍ତା ପାଇଁ ସରକାର ଗଢୁନୁ। ଆମ ସରକାର ସିଦ୍ଧାନ୍ତ ଉପରେ ଆଧାରିତ ବୋଲି ସଂସଦରେ ରହିଥିଲେ ଅମିତ ଶାହା । ସୂଚନାଥାଉକି, ଅନାସ୍ଥା ଭୋଟ ପରେ ପୁଣି ସାଧାରଣ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ଏନଡିଏ ଜିତିବା ସହ ବାଜପେୟୀ ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ।

Leave A Reply

Your email address will not be published.