Odisha Link
Bridging the Missing Links in Odisha

ରାଜ୍ୟରେ ମାଡ଼ିଚାଲିଛି ଡେଙ୍ଗୁ: ୨୦୦୦ ପାର୍ କଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ଥମିବାର ନା ନେଉନି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୨୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏ ବର୍ଷ ଅଗଷ୍ଟ ୧୬ ସୁଦ୍ଧା ୨,୧୧୧ ରୋଗୀ ଚିହ୍ନଟ ହେଲେଣି। ଗତ ବର୍ଷ ଡେଙ୍ଗୁ ରୋଗୀ ସଂଖ୍ୟା ୧ ହଜାର ୪୪୧ ଥିଲା। ବାଲେଶ୍ୱରରେ ୧୭୯, ପୁରୀରେ ୧୫୦, କଟକରେ ୧୨୫, ଜଗତସିଂହପୁରରେ ୧୦୧ ରୋଗୀ ଚିହ୍ନଟ କରାଯାଇଛି। ଯାହା ଏବେ ଚିନ୍ତାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ଡେଙ୍ଗୁ ସଂକ୍ରମଣକୁ ରୋକିବା ପାଇଁ ଏଣିକି ଘରକୁ ଘର ବୁଲି ଡେଙ୍ଗା ମଶା ଖୋଜିବ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)। ଯଦି ଘରୁ ମଶା ପାଇବେ ଅଧିକାରୀ ତେବେ ଗୃହକର୍ତ୍ତା ଗଣିବେ ୧୦୦୦ ଟଙ୍କା ଜରିମାନା। ଏଭଳି କିଛି ନିର୍ଦ୍ଦେଶ କରିଛନ୍ତି ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଏମ୍‌ସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି, ଭୁବନେଶ୍ବରରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢ଼ିଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର ହେଲାଣି। ତେଣୁ ଘର ଚାରିପଟେ ଭଙ୍ଗା ଗାଡ଼ି, ସୋଲ, ଥାଳି, ଟାୟାର ସଫା କରିବାକୁ ହେବ। ଅଗଷ୍ଟ ୧୫ ସୁଦ୍ଧା ସବୁ ଅଳିଆ ହଟାଇବାକୁ ପଡ଼ିବ। ଏହାପରେ ସ୍ବଚ୍ଛସାଥି, ଆଶା, ଅଙ୍ଗନବାଡ଼ି ଦିଦି, ବିଏମ୍‌ସି କର୍ମଚାରୀ ପ୍ରତି ଘର ଅଚାନକ ଗସ୍ତ କରିବେ। ଯଦି କୌଣସି ଘରୁ ମଶା, ଲାର୍ଭା ବାହାରେ ତେତେ ସଙ୍ଗେ ସଙ୍ଗେ ଜରିମାନା କରାଯିବ।

ଯଦି ଘରେ ବା ଘର ଆଖପାଖରେ ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ଅଥବା ଡେଙ୍ଗୁ ମଶା ଦେଖିବାକୁ ମିଳେ ତେବେ ହଜାରେ ଟଙ୍କା ଫାଇନ କରିବ ବିଏମସି। ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ ଆଦି କୋଠାରେ ଡେଙ୍ଗୁ ମଶା ବଂଶବୃଦ୍ଧି ପାଇଁ ପରିବେଶ ଥାଏ ତାହାହେଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ କରିବ ବିଏମସି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଆସନ୍ତା ୧୫ ତାରିଖ ପରେ ବିଏମସି ଟିମ ଘର ଘର ଯାଞ୍ଚ କରିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.