ନାଲିରୁ ଧଳା, ସବୁଠି ଭାରତ ୧ ନମ୍ବର

ଓଏଲ୍ ବ୍ୟୁରୋ: ବିଶ୍ବ କ୍ରିକେଟର ବାଦଶାହ ଭାରତ। ନାଲିରୁ ଆରମ୍ଭ କରି ଧଳା ବଲ୍ର ରାଜା ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷ ମୋହାଲି ଦିନିକିଆକୁ ଜିତି ବିଶ୍ବ କ୍ରିକେଟରେ ଭାରତୀୟ କ୍ରିକେଟ ଦଳ ନୂଆ ଇତିହାସ ରଚିଛି। କଙ୍ଗାରୁ ବାହିନୀକୁ ୫ ଓ୍ବିକେଟରେ ହରାଇ ଭାରତ ଆଇସିସି ଦିନିକିଆ ରାଙ୍କିଙ୍ଗର ନମ୍ବର ୧ ସ୍ଥାନରେ ପହଁଞ୍ଚିଛି। ଏହାପୂର୍ବରୁ ଦଳ ଟେଷ୍ଟ ଓ ଟି-୨୦ ରାଙ୍କିଙ୍ଗରେ ମଧ୍ୟ ୧ନଂ ସ୍ଥାନରେ ଥିଲା। ଏହାର ଅର୍ଥ କ୍ରିକେଟର ୩ଟି ଯାକ ଫର୍ମାଟରେ ଭାରତୀୟ କ୍ରିକେଟ ଟିମ ଶୀର୍ଷ ସ୍ଥାନ ଦଖଲ କରିଛି।
ସବୁଠୁ ଆଗରେ ଭାରତ:
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ଭାରତୀୟ ଦଳ ଆଇସିସି ଦିନିକିଆ ରାଙ୍କିଙ୍ଗର ଦ୍ବିତୀୟ ସ୍ଥାନରେ ଥିଲା। ଆଉ ପ୍ରଥମ ମୁକାବିଲା ଜିତି ଭାରତ ପାକିସ୍ତାନକୁ ପଛରେ ପକାଇ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛି।ପାକିସ୍ତାନ ୧୧୫ ପଏଣ୍ଟ ସହ ୧ନଂରୁ ୨ନଂ ସ୍ଥାନକୁ ଖସି ଯାଇଛି। ଭାରତ ୧୧୬ ପଏଣ୍ଟ ସହ ୧ନଂ ସ୍ଥାନ ଦଖଲ କରିଛି। ସେହିପରି ତୃତୀୟରେ ଅଷ୍ଟ୍ରେଲିଆ, ଚତୁର୍ଥରେ ସାଉଥ ଆଫ୍ରିକା ଓ ୫ମରେ ଇଂଲଣ୍ଡ ରହିଛନ୍ତି। ସବୁଠୁ ବଡ଼କଥା ହେଲା ଅକ୍ଟୋବର ମାସରେ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ବିଶ୍ବକପ୍ ମହାକୁମ୍ଭରେ ୧ ନମ୍ବର ସ୍ଥାନ ହାସଲ କରିଥିବା ଭାରତୀୟ ଦଳ ଭାରତରେ ହିଁ ବିଶ୍ବକପ୍ ଖେଳିବ। ଯାହା ରୋହିତ ବାହିନୀ ପାଇଁ ଏକ୍ସ ଫ୍ୟାକ୍ଟର ହେବ ବୋଲି କ୍ରିକେଟ ବିଶାରଦ ମାନେ କହିଛନ୍ତି।
ଅନ୍ୟପକ୍ଷରେ ଟି-୨୦ କଥା ବିଚାରକୁ ନେଲେ ଭାରତ ୨୬୪ ପଏଣ୍ଟ ସହ ୧ନଂ ସ୍ଥାନରେ ରହିଥିବା ବେଳେ ଇଂଲଣ୍ତ ଓ ପାକିସ୍ତାନ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ଟେଷ୍ଟରେ ଭାରତ ଓ ଅଷ୍ଟ୍ରେଲିଆ ସମାନ ୧୧୮ ଲେଖାଏ ପଏଣ୍ଟ ପାଇଛନ୍ତି। କିନ୍ତୁ ମ୍ୟାଚ୍ ବିଜୟ ତୁଳନାରେ ଭାରତ ୧ନଂ ସ୍ଥାନରେ ଓ ଅଷ୍ଟ୍ରେଲିଆ ୨ନଂରେ ରହିଛି। ୧୧୫ ପଏଣ୍ଟ ସହ ଇଂଲଣ୍ଡ ତୃତୀୟ ସ୍ଥାନରେ ଅଛି।
କେବଳ ଦଳ ନୁହେଁ ଖେଳାଳି ବି ୧ ନମ୍ବରରେ :
ବିଶ୍ବ କ୍ରିକେଟର ୩ଟି ଫର୍ମାଟରେ ଭାରତୀୟ କ୍ରିକେଟ ଟିମ୍ ୧ ନମ୍ବର ସ୍ଥାନରେ ଥିବା ବେଳେ ଭାରତୀୟ ଦଳର କ୍ରିକେଟର ମଧ୍ୟ ଦବଦବା ଜାହିର କରିଛନ୍ତି। ଟେଷ୍ଟ କ୍ରିକେଟର ୧ ନମ୍ବର ବୋଲର ରବିଚନ୍ଦ୍ରନ ଅଶ୍ବିନ ଥିବା ବେଳେ ସେ ଅଲରାଉଣ୍ଡର ତାଲିକାରେ ୨ୟ ସ୍ଥାନରେ ଅଛନ୍ତି। ସେହିପରି ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରେ ନମ୍ବର ୧ ଟେଷ୍ଟ ଅଲରାଉଣ୍ଡର ହୋଇଥିବା ବେଳେ ବୋଲିଂ ତାଲିକାର ୩ୟ ସ୍ଥାନରେ ରହିଛନ୍ତି।
ସେହିପରି ଟି-୨୦ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ବ୍ୟାଟସମ୍ୟାନ୍ ତାଲିକାର ପ୍ରଥମ ସ୍ଥାନରେ ଥିବା ବେଳେ ଅଲରାଉଣ୍ଡର ତାଲିକାର ଦ୍ବିତୀୟ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ରହିଛନ୍ତି। ଅପରପକ୍ଷେ ଦିନିକିଆ ଫର୍ମାଟର ବୋଲିଂ ତାଲିକାରେ ମହମ୍ମଦ ସିରାଜ ନମ୍ବର ସ୍ଥାନରେ ଥିବା ବେଳେ ବ୍ୟାଟସମ୍ୟାନ୍ ତାଲିକାର ଦ୍ବିତୀୟ ସ୍ଥାନରେ ଶୁଭମନ ଗିଲ୍ ରହିଛନ୍ତି।