ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ: ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି
ଓଏଲ୍ ବ୍ୟୁରୋ: ପଞ୍ଚମ ଦିନରେ ବିଧାନସଭାର ମୌସୁମୀ ଅଧିବେଶନ। ଗତକାଲି ଭଳି ଆଜି ବି ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ ରହିଛି। ତେବେ ଆରମ୍ଭରୁ ଗୃହ କାର୍ଯ୍ୟ ସ୍ବାଭାବିକ ଚାଲିଥିଲା। ପରେ ବିଧାନସଭାରେ ଶାସକ-ବିରୋଧୀ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ପାଇଁ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା କରାଯାଇଛି।
ସୂଚନା ଅନୁସାରେ, ଆରମ୍ଭରୁ ଗୃହ କାର୍ଯ୍ୟ ସ୍ବାଭାବିକ ଚାଲିଥିଲା। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ ବିଭାଗୀୟ ମନ୍ତ୍ରୀ। ତେବେ ଗତକାଲି ହଟ୍ଟଗୋଳ ପରେ ଆଜି ବିଧାନସଭା ସରଗରମ ରହିବ ବୋଲି ଅନୁମାନ କରାଯାଉଥିବାବେଳେ କଳିଙ୍ଗ ଷ୍ଟାଡିୟମର ମଡେଲ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବଙ୍କୁ ଗୃହରେ ଧନ୍ୟବାଦ ଜଣାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।
ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭୁତପୁର୍ବ ପଦକ୍ଷେପ ନେଇଛନ୍ତି। ୨୦୧୮ ଓ ୨୦୨୩ରେ ବିଶ୍ୱ କପ ହକି ଆୟୋଜନ କରି ଗୌରବ ଅର୍ଜନ କରିଛି ଓଡ଼ିଶା। ଏ ଯାଏ ରାଜ୍ୟରେ ୩୫ ଆଷ୍ଟ୍ରୋ ଟର୍ଫ ନିର୍ମାଣ ହୋଇଥିବା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି। ସେହିପରି କଟକ ବାରବାଟୀ ଷ୍ଟାଡିୟମରେ ବହୁ ଅନ୍ତର୍ଜାତୀୟ କ୍ରିକେଟ ଟୁର୍ନାମେଣ୍ଟ ହୋଇଛି। ଆଗାମୀ ଦିନରେ ବାରବାଟୀ ଷ୍ଟାଡିୟମର ଆଧୁନିକିକରଣ ଓ ବିକାଶ ପାଇଁ ଖସଡ଼ା ପ୍ରସ୍ତୁତ କରାଯିବ ବୋଲି ତୁଷାରକାନ୍ତି ବେହେରା କହିଛନ୍ତି।