Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ମିଳିଲା ଜିଆଇ ମାନ୍ୟତା

ଓଏଲ୍ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗର୍ବ ଆଉ ଗୌରବ ପାଲଟିଛି ରସାବଳୀ। କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ୍। କେନ୍ଦ୍ର ସରକାର ଏହାକୁ ଜିଆଇ ଟ୍ୟାଗ ଦେବାକୁ ଅନୁମତି ଦେଇଛନ୍ତି। ରସାବଳୀ ହେଉଛି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କର ମୁଖ୍ୟ ପ୍ରସାଦ।

ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ବଳଦେବ ଜୀଉଙ୍କ ପୀଠ ଭାବେ ଖ୍ୟାତ। ତେବେ ଏଠାକାର ରସାବଳୀର ମଧ୍ୟ୍ୟ ରହିଛି ସେହିଭଳି ପ୍ରସିଦ୍ଧି। ରସାବଳୀର କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ସହ ରହିଛି ନିବିଡ଼ ସମ୍ପର୍କ। କୁହାଯାଏ ବଳଦେବଜୀଉଙ୍କ ମନ୍ଦିରରୁ ହିଁ ରସାବଳୀ ଜନ୍ମ ନେଇଥିଲା। ମନ୍ଦିରର ମୁଖ୍ୟ ଭୋଗ ରସାବଳୀ ଏବେ କେନ୍ଦ୍ରାପଡ଼ାର ପରିଚୟ ସାଜିଛି। ବିବାହ ବ୍ରତଘର ଏବଂ ବନ୍ଧୁଘରକୁ ଗଲାବେଳେ ଖୋଜା ପଡିଥାଏ ରସାବଳୀ।

ଇତିହାସ କହେ, ଗଙ୍ଗବଂଶ ରାଜତ୍ବ ଅର୍ଥାତ୍‌ ୪୦୦ ବର୍ଷ ତଳୁ ରସାବଳୀ ସ୍ବାଦିଷ୍ଠ ମିଷ୍ଟାନ୍ନ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ପ୍ରାଚୀନ ଦାଣ୍ଡି ରାମାୟଣ ଏବଂ ଜଗମୋହନ ରାମାୟଣରେ ମଧ୍ୟ ରସାବଳୀ ସମ୍ବନ୍ଧରେ ଅତ୍ୟନ୍ତ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। କେନ୍ଦ୍ରାପଡ଼ାର ଅନେକ ବାସିନ୍ଦା ଏହି ରସାବଳୀ ବିକ୍ରୟ କରି ଗୁଜୁରାଣ ମେଣ୍ଟାଉଛନ୍ତି। କଟକର ପ୍ରସିଦ୍ଧ ବାଲିଯାତ୍ରା ସମେତ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରମୁଖ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇ ଏହା ଆଦୃତ ହୋଇପାରିଛି।

Leave A Reply

Your email address will not be published.