Odisha Link
Bridging the Missing Links in Odisha

ଓଡ଼ିଶାର ୫ ବିଜେପି ସାଂସଦ ଲଢ଼ିପାରନ୍ତି ବିଧାନସଭା; କ’ଣ କହୁଛି ଏଥର ଟିକେଟ୍‌ ଫର୍ମୁଲା

ଓଏଲ୍‌ ବ୍ୟୁରୋ: ଦିନ ପରେ ଦିନ ଗଡ଼ୁଛି। ଆଉ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ଓଡ଼ିଶା ରାଜନୈତିକ ମାହୋଲ ମଧ୍ୟ ଉଷ୍ମ ହେବାରେ ଲାଗିଛି। ତିନି ଛାମୁଆ ଦଳ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଆରମ୍ଭ କରିସାରିଲେଣି କାମ।

ଯଦି କେନ୍ଦ୍ର ରାଜନୀତି କଥା ଦେଖିବା ତେବେ ଗତ ଦୁଇଟି ଲୋକସଭା ନିର୍ବାଚନ ତୁଳନାରେ ୨୦୨୪ ସାଧାରଣ ନିର୍ବାଚନ ଗୁରୁତ୍ବ ଅଧିକ। ବିରୋଧୀ ମେଣ୍ଟ ଇଣ୍ଡିଆ ଗଠନ ହେବାପରେ ଦେଶରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ବିଜେପି ତା’ର ରଣନୀତିକୁ ସଶକ୍ତ କରିବା ସହିତ ଦମ୍‌ ଦେଖାଇବାକୁ ପାଗ ଭିଡ଼ିଛି। ଏସବୁ ମଧ୍ୟରେ ଓଡ଼ିଶା ବିଜେପି ମଧ୍ୟ ଦମ୍‌ ଦେଖାଇବାକୁ ଆରମ୍ଭ କରିଛି ରଣନୀତି।

ବିଶେଷକରି ଦଳୀୟ ଟିକଟ ବଣ୍ଟନ ନେଇ ଏବେଠାରୁ ଆରମ୍ଭ ହୋଇଛି କସରତ। ଦଳ ଆଭ୍ୟନ୍ତରୀଣ ସର୍ଭେ ଆରମ୍ଭ କରିଛି। ବିଜେପି ତାର ଗୋଟିଏ ସୂତ୍ର ନିର୍ଣ୍ଣୟ କରିସାରିଛି, ତାହା ହେଲା- ଯେଉଁମାନେ ବିଜୟୀ ହେବା ସମ୍ଭାବନା ଅଧିକ, ସେମାନଙ୍କୁ ଟିକେଟ୍‌ ମିଳିବ। ଏହି କ୍ରମରେ ଓଡ଼ିଶା ସଂପର୍କରେ ଗୋଟିଏ ଚର୍ଚ୍ଚା ଦଳର ମୁଖ୍ୟାଳୟରେ ଚାଲିଛି। ତାହା ହେଲା- ଲୋକସଭାର କିଛି ସାଂସଦ ଏଥର ବିଧାନସଭା‌ ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି।

ନିର୍ବାଚିତ ୮ ସାଂସଦଙ୍କ ମଧ୍ୟରୁ ଅତିକମ୍‌ରେ ୫ ଜଣ ସାଂସଦଙ୍କୁ ବିଧାନସଭା ନିର୍ବାଚନ ପାଇଁ ଟିକଟ ଦିଆଯିବ ବୋଲି ଚର୍ଚ୍ଚା ହେଉଛି। ସେମାନଙ୍କ ସ୍ଥାନରେ ନୂଆ ଚେହେରାଙ୍କୁ ମଧ୍ୟ ବିଜେପି ଲୋକସଭା ନିର୍ବାଚନରେ ଟିକଟ ଦେଇପାରେ। ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ, ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ଏଥର ବିଧାନସଭା ଆସନରୁ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସେହିଭଳି ରାଜ୍ୟସଭା ସାଂସଦମାନଙ୍କୁ ଲୋକସଭା ନିର୍ବାଚନରେ ଲଢ଼ିବାର ଚର୍ଚ୍ଚା ଭିତରେ ଓଡ଼ିଶାରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ବ କରୁଥିବା ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବେ ରାଜ୍ୟସଭା ସଦସ୍ୟ ଅଛନ୍ତି। ଅଶ୍ବିନୀ ବୈଷ୍ଣବ ମଧ୍ୟ, ତେବେ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ବିଜେପିର ଏହି ଫର୍ମୁଲାର ସଫଳ ପ୍ରୟୋଗ ପରେ ହିଁ ଅନ୍ୟ ରାଜ୍ୟମାନଙ୍କରେ ଲୋକସଭା ସାଂସଦମାନଙ୍କୁ ବିଧାନସଭା ନିର୍ବାଚନରେ ଟିକଟ ଦେବା ପ୍ରସଙ୍ଗରେ ସ୍ଥିତି ସ୍ପଷ୍ଟ ହେବ।

Leave A Reply

Your email address will not be published.