ଦିଲ୍ଲୀରେ ଅସହ୍ୟ ସ୍ଥିତି, ବାୟୁ ପ୍ରଦୂଷଣ ରୋକିବା ପାଇଁ କରାଯିବ କୃତ୍ରିମ ବର୍ଷା
ତୁରନ୍ତ ବୈଠକ ଡାକି ତତ୍କାଳ ସମାଧାନ ରାସ୍ତା ବାହାର କରନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଓଏଲ୍ ବ୍ୟୁରୋ: ଦିଲ୍ଲୀରେ ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ। ଭାରତର ରାଜଧାନୀରେ ପ୍ରଦୂଷଣର ଭୟ ବଢିଛି। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ପାଇଁ କୃତ୍ରିମ ବର୍ଷା କରାଯିବାକୁ ନିଷ୍ପତି ନିଆଯାଇଛି। ନଭେମ୍ବର ୨୦ରୁ କୃତ୍ରିମ ବର୍ଷା କରାଇବାକୁ ନିଷ୍ପତି ନିଆଯାଇଥିବାବେଳେ ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇବେ ଦିଲ୍ଲୀ ସରକାର।
ଅନ୍ୟପଟେ, ୪ ଶହ ଟପିଲା ହାରାହାରି ଏୟାର କ୍ବାଲିଟି ଇଣ୍ଡେକ୍ସ। ଦିଲ୍ଲୀ-ଏନ୍ସିଆର୍ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ୩ ଜଣିଆ ଖଣ୍ଡପୀଠ ତୁରନ୍ତ ପାଳ ଜାଳିବା ବନ୍ଦ କରିବାକୁ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜନୀତି ନ କରି ପାଳ ଜାଳିବା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଅଛି। ଆମେ ଜାଣିନୁ କେମିତି ରୋକିବେ, କିନ୍ତୁ ତୁରନ୍ତ ବନ୍ଦ କରନ୍ତୁ। ପ୍ରଦୂଷଣ ରୋକିବାକୁ ପଦକ୍ଷେପ ବାବଦରେ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି। ତୁରନ୍ତ ବୈଠକ ଡାକି ତତ୍କାଳ ସମାଧାନ ରାସ୍ତା ବାହାର କରନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ସ୍ଥିତିକୁ ଦେଖି ଦିଲ୍ଲୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅନଲାଇନ୍ରେ ପାଠ ପଢ଼ାଇବାକୁ ସ୍କୁଲଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଲଗାତାର କିଛି ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ ରାଜଧାନୀ ବାସୀ ଏବଂ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।