Odisha Link
Bridging the Missing Links in Odisha

କରଣପୁର ନିର୍ବାଚନ: ବିଧାୟକ ନହୋଇ ବି ପାଇଥିଲେ ମନ୍ତ୍ରୀ ପଦ, ଏବେ ହାରିଗଲେ

ଓଏଲ୍‌ ବ୍ୟୁରୋ: ରାଜସ୍ଥାନର ଭଜନଲାଲ ସରକାରକୁ ଲାଗିଲା ବଡ଼ ଝଟକା। ସରକାର ଗଠନ କରିବାର ମାସକ ପରେ ଭାରତୀୟ ଜନତା ପାର୍ଟି କରଣପୁର ବିଧାନସଭା ଆସନରେ ପରାଜିତ ହୋଇଛି। ଯାହା ଦଳକୁ ଲାଗିଛି ଝଟକା। ସବୁଠୁ ବଡ଼କଥା ହେଲା ବିଜେପି କରଣପୁରର ଆସନର ଆଶାୟୀ ପ୍ରାର୍ଥୀ ସୁରେନ୍ଦ୍ରପାଲ ସିଂହଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ହେଲେ ଆଜିର ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ସେ ପରାଜିତ ହୋଇଛନ୍ତି। ଏଥିସହିତ ତାଙ୍କୁ ମନ୍ତ୍ରୀପଦ ଛାଡ଼ିବାକୁ ପଡ଼ିବ।

ଡିସେମ୍ବର ୩ ତାରିଖରେ ରାଜସ୍ଥାନର ୧୯୯ ଆସନରେ ଭୋଟ ଗଣତି ହୋଇଥିଲା। ଆଉ ବହୁମତ ହାସଲ କରି ବିଜେପି ସିଂହାସନ ଅକ୍ତିଆର କରିଥିଲା। ବିଜୟ ପରେ ବିଜେପିର ଏହାଥିଲା ପ୍ରଥମ ପରୀକ୍ଷା। ଯେଉଁଥିରେ ପରାସ୍ତ ହୋଇଛି ବିଜେପି। ଜାନୁଆରୀ ୫ ତାରିଖରେ ହୋଇଥିବା ବିଧାନସଭା ନିର୍ବାଚନରେ ୮୧.୩୮ ପ୍ରତିଶତ ଭୋଟିଂ ହୋଇଥିଲା। ରାଜସ୍ଥାନ ବିଧାନସଭାର ୨୦୦ଟି ଆସନରୁ ୧୯୯ଟି ଆସନରେ ନଭେମ୍ବର ୨୫ ତାରିଖରେ ମତଦାନ ହୋଇଥିଲା। ଯାହାର ଫଳାଫଳ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇଥିଲା। ବିଜେପିକୁ ୧୧୫ ଓ କଂଗ୍ରେସକୁ ୬୯ଟି ଆସନ ମିଳିଥିଲା। କରଣପୁର ଆସନ ଜିତିବା ପରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୭୦ରେ ପହଁଞ୍ଚିଛି।

ସୂଚନାଥାଉକି, କରଣପୁର ଗଙ୍ଗନଗର ଆସନରେ କଂଗ୍ରେସର ଆଶାୟୀ ପ୍ରାର୍ଥୀ ତଥା ତତ୍କାଳୀନ ବିଧାୟକ ଗୁରମିତ ସିଂହଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ ରହିଥିଲା। ଏହି ଆସନରେ ବିଜେପି ସୁରେନ୍ଦ୍ରପାଲ ସିଂହଙ୍କୁ ଟିକେଟ ଦେଇଥିବା ବେଳେ କଂଗ୍ରେସ ଗୁରମିତ ସିଂହଙ୍କ ପୁଅ ରୁପିନ୍ଦର ସିଂହଙ୍କୁ ଟିକେଟ୍‌ ଦେଇଥିଲା। ହେଲେ ରୁପିନ୍ଦର ସୁରେନ୍ଦ୍ରପାଲଙ୍କୁ ପରାଜିତ କରିଛନ୍ତି। ଯାହାଫଳରେ ସୁରେନ୍ଦ୍ରପାଲ ତାଙ୍କ ମନ୍ତ୍ରୀ ପଦ ଛାଡ଼ିବେ। ନିୟମ ମୁତାବକ, ଜଣେ ବ୍ୟକ୍ତିଙ୍କୁ ମନ୍ତ୍ରୀ କରାଯାଇପାରେ ଯିଏକି ବିଧାନସଭା ସଦସ୍ୟ ହୋଇନଥିବ। କିନ୍ତୁ ୬ ମାସ ଭିତରେ ନିର୍ବାଚନ ଜିତି ବିଧାୟକ ହେବା ଆବଶ୍ୟକ ଅଛି।

Leave A Reply

Your email address will not be published.