Odisha Link
Bridging the Missing Links in Odisha

ରଣଜୀ ଟ୍ରଫି: ଶୁଭ୍ରାଂଶୁଙ୍କ ପ୍ରଥମ ଦ୍ବିଶତକ ବଳରେ ଦୃଢ଼ ସ୍ଥିତିରେ ଓଡ଼ିଶା

ଓଏଲ୍‌ ବ୍ୟୁରୋ: ରଣଜୀ ଟ୍ରଫିରେ ଓଡ଼ିଆ ଖେଳାଳି କଲେ କମାଲ। ଓଡ଼ିଶାର ଷ୍ଟାର ବ୍ୟାଟସମ୍ୟାନ୍‌ ଶୁଭ୍ରାଂଶୁ ସେନାପତି କରିଛନ୍ତି ଚମତ୍କାର ବ୍ୟାଟିଂ। ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ ଖେଳିଛନ୍ତି ୨୭୭ ରନର ଦମଦାର ଇନିଂସ। ଏହା ସହ ସେ ନିଜ ରଣଜୀ କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଛନ୍ତି।ସେହିପରି ଦ୍ୱିତୀୟଦିନ ଷ୍ଟମ୍ପ ଅପସାରଣ ସହ ଓଡିଶା ୮ ୱିକେଟ ହରାଇ ୪୯୩ ରନ କରିଛି।

ଶୁଭ୍ରାଂଶୁଙ୍କ ଦମଦାର ଇନିଂସ ବଳରେ ଓଡ଼ିଶା ବି ମ୍ୟାଚ୍‌ରେ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ସେନାପତି ଦ୍ୱିଶତକ ହାସଲ କରିବା ପରେ ଆଉଟ ହୋଇ ନାହାନ୍ତି। ଆଜି ଦିନ ତମାମ ତାଙ୍କ ବ୍ୟାଟିଂ ଯାଦୁ ସମସ୍ତେ ଦେଖିଛନ୍ତି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଓଡ଼ିଶା ତା’ର ପ୍ରଥମ ଇନିଂସରେ ୮ ୱିକେଟ ହରାଇ ୪୯୩ ରନ କରି ନେଇଛି। ସେନାପତି ୨୭୭ ଓ ଡେବ୍ୟୁଟାଣ୍ଟ ହର୍ଷିତ ରାଠୋଡ ୬୦ ରନ କରି ଅପରାଜିତ ରହିଛନ୍ତି।

ଡେବ୍ୟୁଟାଣ୍ଟ ହର୍ଷିତ ବି ରଣଜୀ ଡେବ୍ୟୁରେ ଅର୍ଦ୍ଧଶତକ ହାସଲ କରି ନିଜ ଦକ୍ଷତାର ପରିଚୟ ସମସ୍ତଙ୍କୁ ଦେଇଛନ୍ତି। ଉଭୟ ୯ମ ୱିକେଟ ପାଇଁ ଅପରାଜିତ ୨୩୪ ରନ ଯୋଡ଼ିଛନ୍ତି। ସେନାପତି ଏଯାଏ ୪୮୩ ବଲରେ ସମ୍ମୁଖୀନ ହୋଇ ୨୭୭ ରନ କରିଛନ୍ତି। ଏହି ଇନିଂସରେ ସେ ୧୯ଟି ଚୌକା ଓ ୧୧ଟି ଛକା ମାରିଛନ୍ତି।

ସୂଚନାଥଉକି, ମଧ୍ୟପ୍ରଦେଶ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଯାହାଫଳରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିଲା। ଅଧିନାୟକ ଶାନ୍ତନୁ ମିଶ୍ର ଓ ଅନୁରାଗ ଷଡ଼ଙ୍ଗୀ ଓଡ଼ିଶା ପାକ୍ଷରୁ ଇନିଂସ ଓପେନ କରିଥିଲେ ହେଲେ ଦଳର ଭଲ ଆରମ୍ଭ ଦେଇ ପାରିନଥିଲେ। କାରଣ ମଧ୍ୟପ୍ରଦେଶର ବୋଲର ମାନେ ଓଡ଼ିଶାକୁ ପ୍ରାରମ୍ଭିକ ଝଟକା ଦେବାରେ ସଫଳ ହୋଇଥିଲେ।

ଓଡ଼ିଶା ଏକଦା ୩୮ ରନ୍‌ରେ ୪ ଓ୍ବିକେଟ ହରାଇ ସଙ୍କରେ ପଡ଼ିଥିବା ବେଳେ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ଶୁଭ୍ରାଂଶୁ। ସେ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ରାଜେଶ ଧୁପର, ପ୍ରୟାସ ସିଂ ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ସହ ମିଶି ଦଳୀୟ ସ୍କୋର ଆଗକୁ ନେଇଥିଲେ। ତାପରେ ଡେବ୍ୟୁଟାଣ୍ଟ ହର୍ଷିତ ରାଠୋଡଙ୍କ ସହ ମିଶି ଦଳକୁ ଏକ ମଜବୁତ ସ୍ଥିତିରେ ପହଁଞ୍ଚାଇ ପାରିଛନ୍ତି। ସୂଚନାଥାଉକି, ନିକଟରେ ଚେନ୍ନାଇ ସୁପର କିଙ୍ଗସ୍‌ ଶୁଭ୍ରାଂଶୁଙ୍କୁ ଦଳରୁ ରିଲିଜ କରିଥିଲା। ଆଇପିଏଲ ୨୦୨୪ ଅକ୍ସନରେ ଶୁଭ୍ରାଂଶୁ ସାମିଲ ହୋଇଥିବା ସତ୍ତ୍ବେ ତାଙ୍କୁ କୌଣସି ଦଳ କିଣି ନଥିଲା।

Leave A Reply

Your email address will not be published.