Odisha Link
Bridging the Missing Links in Odisha

ରାଷ୍ଟ୍ରୀୟ ନିଯୁକ୍ତି ମେଳା: ୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଦେଶର ୪୭ ସ୍ଥାନରେ ରାଷ୍ଟ୍ରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ ସାମିଲ ହୋଇ ପ୍ରଥମେ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ନିଯୁକ୍ତି ପାଇଥିବା ଯୁବବର୍ଗଙ୍କୁ ସମ୍ବୋଧିତ କରିଥିଲେ। ରୋଜଗାର ମେଳାରେ ଆଜି ୧ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତିପତ୍ର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଲଗାତାର ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯାଉଛି। ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇବା ଠାରୁ ଆରମ୍ଭ କରି ନିଯୁକ୍ତି ମିଳିବା ପର୍ଯ୍ୟନ୍ତ ଦୀର୍ଘ ସମୟ ଲାଗୁଥିଲା। ଯେଉଁ ସମୟରେ ନିଯୁକ୍ତି ପାଇଁ ଟଙ୍କା କାରବାର ହେଉଥିଲା। କିନ୍ତୁ ଏବେ ପୂରା ପାରଦର୍ଶିତାର ସହ କେନ୍ଦ୍ର ସରକାର ନିଯୁକ୍ତି ଦେଉଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ମଧ୍ୟ କହିଛନ୍ତି, ଏବେ ଯୁବବର୍ଗଙ୍କ ମନରେ ଆତ୍ମବିଶ୍ୱାସ ଆସିଛି ଯେ, କଠିନ ପରିଶ୍ରମ ଓ ନିଜର ପ୍ରତିଭା ବଳରେ ହିଁ ନିଯୁକ୍ତି ମିଳିପାରିବ। ଏହି ରୋଜଗାର ମେଳା ଜରିଆରେ ଭାରତୀୟ ରେଳବିଭାଗରେ ମଧ୍ୟ ନିଯୁକ୍ତି ମିଳୁଛି। ଭାରତୀୟ ରେଳ ବିଭାଗର ଏବେ ନବକଳେବର ହେବାକୁ ଯାଉଛି। ସେହିଭଳି ଭାରତ ଏବେ ତୃତୀୟ ବୃହତ ଷ୍ଟାର୍ଟଅପ ଅର୍ଥନୀତି ଭାବେ ଉଭା ହେଲାଣି। ଛୋଟ ଛୋଟ ସହରରେ ଷ୍ଟାର୍ଟଅପ୍ ଆରମ୍ଭ କରୁଛନ୍ତି ଯୁବବର୍ଗ। ଏହି ଷ୍ଟାର୍ଟଅପରେ ମଧ୍ୟ ଅନେକ ଯୁବକଙ୍କୁ ନିଯୁକ୍ତି ମିଳିପାରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ ସାମିଲ ହୋଇ କହିଛନ୍ତି।

Leave A Reply

Your email address will not be published.