Odisha Link
Bridging the Missing Links in Odisha

ବିଜେଡିକୁ ଫେରିବେ ସୌମ୍ୟରଂଜନ!

ରାଜନୀତିକୁ ଆସିପାରନ୍ତି ତନୟା ପଟ୍ଟନାୟକ

ଭୁବନେଶ୍ବର: ବିଜୁ ଜନତା ଦଳରୁ ବହିଷ୍କୃତ ହେବାର ୬ ମାସ ପରେ ବରିଷ୍ଠ ରାଜନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପୁଣି ଦଳକୁ ଫେରିବାର ଆଶା ଉଦୟ ହୋଇଛି। ଦଳୀୟ ସମୀକରଣ ଠିକ ରହିଲେ ସେ କିମ୍ବା ତାଙ୍କର କନ୍ୟା ତଥା ସମ୍ବାଦର ସଂପାଦକ ତନୟା ପଟ୍ଟନାୟକ ବିଜେଡିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ସୂଚନା ମିଳିଛି। ଗତକାଲି ଦିନବେଳେ ତନୟା ନବୀନ ନିବାସ ଯାଇଥିବାବେଳେ ବିଳମ୍ବିତ ରାତିରେ ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ ସୌମ୍ୟରଂଜନଙ୍କ ବାସଭବନକୁ ଯାଇ ଏ ସମ୍ପର୍କରେ ଆଲୋଚନାକୁ ଆଗେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ସୌମ୍ୟ ଦଳକୁ ଲେଉଟିଲେ ତାଙ୍କୁ ବାଲେଶ୍ବର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିବା ପାଇଁ ବିଜେଡି ପ୍ରସ୍ତାବ ଦେଇଛି। ସୌମ୍ୟଙ୍କ ପୁତୁରା ନବଜ୍ୟୋତି ପଟ୍ଟନାୟକ ବାଲେଶ୍ବରରୁ କଂଗ୍ରେସ ସାଂସଦ ପ୍ରାର୍ଥୀ ହେଉଥିବାବେଳେ ତାଙ୍କୁ ଟକ୍କର ଦେବାକୁ ବିଜେଡି ସୌମ୍ୟଙ୍କୁ ସାମନାକୁ ଠେଲିବାକୁ ଆଗ୍ରହୀ ଅଛି। ଅନ୍ୟପଟେ ସୌମ୍ୟ ଯଦି ନିଜେ ବିଜେଡି ରାଜନୀତିକୁ ଫେରିବେ ତେବେ ତାଙ୍କ ଶ୍ବଶୁର ସ୍ବର୍ଗତ ଯାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁରୁଣା କ୍ଷେତ୍ର ବୋଲଗଡ଼-ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଗ୍ରହୀ ଥିବା ଜଣାପଡ଼ିଛି। ଜଣେ ବରିଷ୍ଠ ନେତା ଭାବରେ ତାଙ୍କୁ ଏଠାରୁ ପ୍ରାର୍ଥୀ କରାଯିବା ସହ ମନ୍ତ୍ରୀତ୍ବର ପ୍ରତିଶ୍ରୁତି ମିଳିଲେ ସେ ବିଜେଡି ପ୍ରସ୍ତାବରେ ରାଜି ହୋଇପାରନ୍ତି।

ଅନ୍ୟପଟେ ଯଦି ଉଭୟ ପକ୍ଷର ସର୍ତ୍ତ ଓ ସମୀକରଣ ଠିକ ରହେ ଏବଂ ତନୟା ପଟ୍ଟନାୟକ ନିର୍ବାଚନକୁ ଲମ୍ଫ ପ୍ରଦାନ କରନ୍ତି ତେବେ ଖଣ୍ଡପଡ଼ାରୁ ସେ ପ୍ରାର୍ଥୀ ହେବା ନେଇ ସୌମ୍ୟରଂଜନ ଆଗ୍ରହୀ ଥିବା ସୂଚନା ମିଳିଛି। ସୌମ୍ୟରଂଜନ ଏବେ ଖଣ୍ଡପଡ଼ାର ବିଧାୟକ ଅଛନ୍ତି।

ବିଜେଡି ଛାଡ଼ିବା ପରେ ସେ କୌଣସି ଦଳକୁ ଯାଇନଥିବାବେଳେ ୪ ଦିନ ତଳେ ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସିଂହ ତାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ଭେଟଘାଟ ସମୟରେ ବିଜେପି ପକ୍ଷରୁ ତାଙ୍କୁ ଖଣ୍ଡପଡ଼ା ବିଧାନସଭା କ୍ଷେତ୍ର ପାଇଁ ପ୍ରସ୍ତାବ ରଖାଯାଇଛି। ଏଥିରେ ସେ ଅରାଜି ହେଲେ ବିଜେପି ତାଙ୍କୁ କଟକ ଲୋକସଭା କ୍ଷେତ୍ର ପାଇଁ ମଧ୍ୟ ପ୍ରସ୍ତୁତ କରିପାରେ ବୋଲି ସୂଚନା ମିଳିଛି। ଗତକାଲି ସୌମ୍ୟ-ପ୍ରଣବ ଭେଟ ପରେ ବିଜେପିର ଆଶା ମଉଳିବାର ଆଶଙ୍କା ଜନ୍ମିଛି।

Leave A Reply

Your email address will not be published.