Odisha Link
Bridging the Missing Links in Odisha

ଲୋକସଭା ପ୍ରାର୍ଥୀ: ବିଜେପିରୁ ୪, ବିଜେଡିରୁ ୬ ମହିଳାଙ୍କୁ ମିଳିଲା ଟିକେଟ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ପାଖେଇ ଆସିଲାଣି ନିର୍ବାଚନ ତାରିଖ। ଗଣତନ୍ତ୍ରର ମହା ପର୍ବକୁ ଅନାଇ ବସିଛନ୍ତି ସମସ୍ତେ। ଚଳିତଥର ଦେଶରେ ୭ଟି ପର୍ଯ୍ୟାୟରେ ହେବ ମତଦାନ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମସ୍ତ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି। ସାରା ଦେଶରେ ଲୋକସଭା ନିର୍ବାଚନ ହେଉଥିବା ବେଳେ ଓଡ଼ିଶା ସମେତ ୪ଟି ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଛି। ଭାରତୀୟ ଜନତା ପାର୍ଟି ଓଡ଼ିଶାର ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଜୁ ଜନତା ଦଳ ୨୦ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଗୋଟିଏ ଆସନ ପାଇଁ ଅପେକ୍ଷା ରହିଛି।

ଘୋଷଣା ହୋଇଥିବା ପ୍ରାର୍ଥୀ ମାନଙ୍କ ମଧ୍ୟରେ ବିଜେପି ଲୋକସଭା ଆସନ ପାଇଁ ୨୧ ଆସନରୁ ୪ ମହିଳାଙ୍କୁ ଟିକେଟ ଦେଇଛି। ସେହିଭଳି ବିଜୁ ଜନତା ଦଳ ମଧ୍ୟ ଘୋଷଣା କରିଥିବା ୨୦ ଆସନ ମଧ୍ୟରୁ ୬ ଆସନରେ ମହିଳା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜୁ ଜନତା ଦଳ ପକ୍ଷରୁ ଘୋଷଣା ହୋଇଥିବା ଲୋକସଭା ଆସନ ପାଇଁ କଟକରୁ ଲଢ଼ିବେ ସଂତୃପ୍ତ ମିଶ୍ର, ପୁରୀରୁ ଅରୂପ ପଟ୍ଟନାୟକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ଯାଜପୁରରୁ ଶର୍ମିଷ୍ଠା ସେଠୀ, ଢେଙ୍କାନାଳ ଅବିନାଶ ସାମଲ, ଜଗତସିଂହପୁର ରାଜଶ୍ରୀ ମଲ୍ଲିକଙ୍କୁ, ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି।

ସେହିଭଳି ସୁନ୍ଦରଗଡ ପାଇଁ ଦିଲ୍ଲୀପ ତିର୍କି, ମୟୂରଭଞ୍ଜ ପାଇଁ ସୁଦାମ ମାର୍ଣ୍ଡି, ନବରଙ୍ଗପୁର ପାଇଁ ପ୍ରଦୀପ ମାଝୀ, ଭୁବନେଶ୍ୱର ପାଇଁ ମନ୍ମଥ ରାଉତରାୟ, କୋରାପୁଟ ପାଇଁ କୌଶଲ୍ୟା ହିକ୍କା, ଆସ୍କା ପାଇଁ ରଞ୍ଜିତା ସାହୁ, କଳାହାଣ୍ଡି ପାଇଁ ଲମ୍ବୋଦର ନିଆଲଙ୍କ ନାଁ ଘୋଷଣା ହୋଇଛି। ବଲାଙ୍ଗିରରୁ ସୁରେନ୍ଦ୍ର ସିଂହ ଭୋଇ, ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ, ବରଗଡ଼ରୁ ପରିଣୀତା ମିଶ୍ର, ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର, କେନ୍ଦୁଝରରୁ ଧନୁର୍ଜୟ ସିଦ୍ଧୁଙ୍କୁ ଟିକେଟ ମିଳିଛି।

ଅନ୍ୟପଟେ, ବିଜେପି ଘୋଷଣା କରିଥିବା ୨୧ ଆସନ ମଧ୍ୟରୁ ୬ ମହିଳାଙ୍କୁ ଟିକେଟ ମିଳିଛି। ଏହି କ୍ରମରେ ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦୁଝରରୁ ଅନନ୍ତ ନାୟକ, ମୟୂରଭଞ୍ଜରୁ ନବ ଚରଣ ମାଝୀ, ବାଲେଶ୍ବରରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂହ ଦେଓ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ଜୟ ପଣ୍ଡା, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, ପୁରୀରୁ ସମ୍ବିତ ପାତ୍ର, ଭୁବନେଶ୍ବରରୁ ଅପରାଜିତା ଷଡ଼ଙ୍ଗୀ, ଆସ୍କାରୁ ଅନିତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, କୋରାପୁଟରୁ କାଳୀରାମ ମାଝୀ, କଟକରୁ ଭର୍ତ୍ତୃହରି ମହତାବ, ଯାଜପୁରରୁ ରବୀନ୍ଦ୍ର ନାରାୟଣ ବେହେରା, କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ ନିର୍ବାଚନ ଲଢ଼ିବେ।

Leave A Reply

Your email address will not be published.