Odisha Link
Bridging the Missing Links in Odisha

କେନ୍ଦ୍ରାପଡ଼ା: ବିଜେଡି ଗଡ଼ରେ ବୈଜୟନ୍ତଙ୍କ ପ୍ରଚାର; ଅଂଶୁମାନ ଦେବେ କି ମାତ୍‌

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଢୁଥିବା ତାପମାତ୍ରା ପରି ରାଜ୍ୟ ରାଜନୀତିର ପାରା ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ତାରିଖ ଯେତେ ପାଖଉଛି ବିଭିନ୍ନ ରାଜନୈତିକ ଦଳ ଆପଣାଉଛନ୍ତି ନୂଆ ନୂଆ ରଣନୀତି। ସାରା ଦେଶରେ ନିର୍ବାଚନ ହେଉଥିବା ବେଳେ ସମସ୍ତଙ୍କ ନଜର ରହିଛି ଓଡ଼ିଶା ଉପରେ। କାରଣ ଏକାସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ଓଡ଼ିଶାରେ ହେଉଛି। ବିଶେଷ ଭାବେ ଗତଥର ଭଳି ଏଥର ମଧ୍ୟ କେନ୍ଦ୍ରାପଡ଼ା ଲୋକସଭା ଆସନ ଚର୍ଚ୍ଚାରେ ରହିଛି। କାରଣ ରାଷ୍ଟ୍ରୀୟ ବିଜେପିର ଉପସଭାପତି ବୈଜୟନ୍ତ ଜୟ ପଣ୍ଡା କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ଉଭୟ ନେତା ନିଜ ନିଜ ସମର୍ଥକଙ୍କୁ ନେଇ ପ୍ରଚାର ଆରମ୍ଭ କରିଛନ୍ତି।

ନିକଟରେ କଂଗ୍ରେସ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଅଂଶୁମାନ ମହାନ୍ତିଙ୍କୁ ବିଜୁ ଜନତା ଦଳ ଲୋକସଭା ପ୍ରାର୍ଥୀ କରିଛି। ସେ ଅଭିନେତାରୁ ନେତା ବନିଥିବା ଅନୁଭବ ମହାନ୍ତିଙ୍କ ସ୍ଥାନ ନେଇଛନ୍ତି। ଅନ୍ୟପଟେ ଅନୁଭବ ମହାନ୍ତି ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲା ଗତଥର ପରାଜିତ ହୋଇଥିବା ବୈଜୟନ୍ତ ପଣ୍ଡାଙ୍କ ଉପରେ ଭରସା କରିଛି। ପୁଣିଥରେ ଶ୍ରୀ ପଣ୍ଡାଙ୍କୁ ଟିକେଟ୍‌ ଦେଇଛି ଦଳ। କେନ୍ଦ୍ରାପଡାକୁ ବିଜେଡି ଗଡ଼ କୁହାଯାଉଥିବାବେଳେ ଏଥର କାହାର ପଲ୍ଲା ଭାରି ହେବ ତାହା ଆଶା ଆଶଙ୍କା ଭିତରେ ରହିଛି। ଗତଥର କେନ୍ଦ୍ରାପଡାରେ ଅନୁଭବ ମହାନ୍ତି ବିଜେଡିରୁ ବାଜିମାତ କରିଥିଲେ। ହେଲେ ସେ ବର୍ତ୍ତମାନ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ପ୍ରବେଶ କରିଛନ୍ତି। ନିର୍ବାଚନ ପାଇଁ ମଧ୍ୟ ଦୁଇ ଦଳ ପ୍ରଚାର ଆରମ୍ଭ କରିଛନ୍ତି।

ଗତ ନିର୍ବାଚନରେ ଅନୁଭବ ମହାନ୍ତି ବିଜୟ ହୋଇଥିଲେ। ସେ ୧, ୮୧, ୪୮୩ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ଅନୁଭବ ମହାନ୍ତି ୬,୨୮,୯୩୯ ଖଣ୍ଡ ଭୋଟ ପାଇଥିବା ବେଳେ ବୈଜୟନ୍ତ ପଣ୍ଡା ୪,୪୭,୪୫୬ ଖଣ୍ଡ ଭୋଟ ପାଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ୧, ୧୩,୮୪୧ ଖଣ୍ଡ ଭୋଟ ପାଇଥିଲେ। ତେବେ ଚଳିତ ନିର୍ବାଚନରେ ବିଜେଡି ଅନୁଭବଙ୍କ ସ୍ଥାନରେ ଅଂଶୁମାନଙ୍କୁ ପ୍ରାର୍ଥୀ କରିଛି। ବିଜେଡି ଗଡ଼ କୁହାଯାଉଥିବା କେନ୍ଦ୍ରାପଡାରେ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ବିଜୁ ଜନତା ଦଳର ନେତା ଅଂଶୁମାନ ମହାନ୍ତି ପଚାର ମୈଦାନକୁ ଓଲ୍ହାଇଛନ୍ତି। ବୈଜୟନ୍ତ ପଣ୍ଡା ପୂର୍ବରୁ ୨ ଥର କେନ୍ଦ୍ରାପଡା ଲୋକସଭା ଆସନରୁ ବାଜି ମାରିଥିଲେ, ହେଲେ ଗତଥର ଦଳ ପରିବର୍ତନ କରିବା ପରେ କେନ୍ଦ୍ରାପଡା ବାସୀ ଶଙ୍ଖ ଚିନ୍ହରେ ମୋହର ମାରି ଅନୁଭବ ମହାନ୍ତିଙ୍କୁ ବିଜୟ କରାଇଥିଲେ। ତେବେ ଏଥର କେନ୍ଦ୍ରାପଡ଼ା ବାସିନ୍ଦା କାହା ଉପରେ ଭରସା କରି ମୋହର ମାରିବେ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.