Odisha Link
Bridging the Missing Links in Odisha

“ରାଉରକେଲାରୁ ବିଜେପି ଟିକେଟ୍‌ରୁ ଲଢ଼ିବେ ଦିଲ୍ଲୀପ”

ଓଏଲ୍‌ ବ୍ୟୁରୋ: ଠିକ୍‌ ନିର୍ବାଚନ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଛି ବଡ଼ ଆଶ୍ବସ୍ତି। ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ଶ୍ରୀ ରାୟଙ୍କୁ ମିଳିଛି ଆଶ୍ବସ୍ତି। ଗତକାଲି ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏନେଇ ଖବର ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ସୂଚନା ମିଳିଥିଲା। ଏହି ଖବର ପରେ ବିଜେପିର ବରିଷ୍ଠ ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଦେଇଛନ୍ତି ବଡ଼ ବୟାନ।

ଜୁଏଲ ଓରାମ କହିଛନ୍ତି, ରାଉରକେଲାରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀପ ରାୟ। ବିଜେପି ଟିକେଟରେ ସେ ନିର୍ବାଚନ ଲଢ଼ିବେ।ଏକଥା କହିଛନ୍ତି ବରିଷ୍ଠ ବିଜେପି ନେତା ଜୁଏଲ ଓରାମ୍। ସେ ଆହୁରି କହିଛନ୍ତି, ଖୁବଶୀଘ୍ର ଦିଲ୍ଲୀପଙ୍କ ପ୍ରାର୍ଥୀତ୍ୱ ନେଇ ବିଜେପି ପକ୍ଷରୁ ଘୋଷଣା କରାଯିବ। ମାମଲାର ରାୟକୁ କେବଳ ଅପେକ୍ଷା କରାଯାଇଥିଲା। ସେ ପ୍ରାର୍ଥୀ ହେବା ନିଶ୍ଚିତ । କାଲି ଭିତରେ ଏନେଇ ଘୋଷଣା କରାଯିବ ବୋଲି ଜୁଏଲ କହିଛନ୍ତି।

ସୂଚନାଥାଉକି, ୧୯୯୯ ମସିହାରେ ବାଜପେୟୀ ସରକାରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ। ଏହି ସମୟରେ ଝାଡ଼ଖଣ୍ଡର ଗିରିଡ଼ିହ ସ୍ଥିତ ବ୍ରହ୍ମଡିହ କୋଲ୍ ବ୍ଲକ ଆବଣ୍ଟନ କରାଯାଇଥିଲା। କ୍ରାଷ୍ଟନ୍ ଟେକ୍ନୋଲୋଜି ଲିମିଟେଡକୁ କୋଲ୍ ବ୍ଲକ ମିଳିଥିଲା। ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ତଦନ୍ତ କରିଥିଲା ସିବିଆଇ। ୬ ଅକ୍ଟୋବର ୨୦୨୦ରେ ମାମଲାର ଶୁଣାଣି କରିଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ।

ବରିଷ୍ଠ ନେତାଙ୍କୁ ୩ବର୍ଷ ଜେଲ୍‌ ଦଣ୍ଡ ସହ ୧୦ଲକ୍ଷ ଟଙ୍କା ଜରିମାନା କରିଥିଲେ କୋର୍ଟ। ଏହି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଦିଲ୍ଲୀପ ରାୟ। ତେବେ କୋର୍ଟଙ୍କ ରହିତାଦେଶ ପରେ ଦିଲ୍ଲୀପଙ୍କ ନିର୍ବାଚନ ଲଢ଼ିବା ନେଇ ରାସ୍ତା ସଫା ହୋଇଛି। ତେବେ ସେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇବେ ନା ନାଇଁ ଏନେଇ କିଛି ସୂଚନା ଦେଇ ନାହାନ୍ତି ଦିଲ୍ଲୀପ ରାୟ।

Leave A Reply

Your email address will not be published.