ଭାରତକୁ ୧୨,୦୦୦ କୋଟି ଟଙ୍କାର ଯୁଦ୍ଧାସ୍ତ୍ର ଦେବ ଆମେରିକା

ଗୋଟିଏ ପଟେ ଆମେରିକାକୁ ଜରୁରୀ ରୋଗପ୍ରତିରୋଧକ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଯୋଗାଇଦେବାକୁ ଭାରତ ରାଜି ହୋଇଥିବା ବେଳେ ଏଭଳି ଅବେଳରେ ଭାରତର ଯୁଦ୍ଧାସ୍ତ୍ର କ୍ରୟ ଅନୁରୋଧକୁ ଅନୁମୋଦନ କରିଛି ଆମେରିକା। ଭାରତ ଏ ନେଇ ପୂର୍ବରୁ ଆମେରିକାକୁ ଅନୁରୋଧ କରିଥିବା ବେଳେ ସୋମବାର (୧୩ ଏପ୍ରିଲ) ଦିନ ଆମେରିକାର ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ୍ ଏଥିରେ ରାଜି ହୋଇଛି। ଭାରତକୁ ୧୫୫ ମିଲିଅନ୍ ଆମରିକୀୟ ଡଲାର ବା ପ୍ରାୟ ୧୨,୦୦୦ କୋଟି ଟଙ୍କା ଭାରତୀୟ ମୁଦ୍ରା ବିନିମୟରେ ଆମେରିକା ଭାରତକୁ ବାୟୁସେନା ପାଇଁ ୧୦ଟି ଏଜିଏମ୍-୮୪ଏଲ୍ ହାର୍ପର ବ୍ଲକ୍ ଟୁ ମିସାଇଲ୍ ଓ ଜଳସେନା ପାଇଁ ୧୬ଟି ଏମ୍କେ-୪୫ ହାଲକା ଟର୍ପେଡୋ ବିକ୍ରି କରିବ।
ଏହା ଦ୍ବାରା ଉଭୟ ଦେଶର ବନ୍ଧୁତ୍ବ ଶକ୍ତି ବୃଦ୍ଧିପାଇବା ସହ ଏହା ଆମେରିକାର ବିଦେଶ ନୀତି ଓ ଜାତୀୟ ନିରାପତ୍ତାକୁ ଅଧିକ ସହାୟକ ହେବ ବୋଲି ପେଣ୍ଟାଗନ୍ ପକ୍ଷରୁ କୁହାଯାଇଛି। ଏଇଠି କହିରଖେ, ମିଶାଇଲ୍ ବାବଦରେ ତ ଆମ ସମସ୍ତେ ଜାଣିଛେ। ଟର୍ପେଡୋ ହେଉଛି ହାଲକା ଓ ଛୋଟ ଆକୃତିର ଜଳ ଭିତରେ ଗତି କରିପାରୁଥିବା ମିଶାଇଲ୍। ଏହାକୁ ଯୁଦ୍ଧ ଜାହାଜ, ବୁଡ଼ା ଜାହାଜ ବା ସମୁଦ୍ର ଉପରୁ ଯୁଦ୍ଧ ବିମାନରୁ କ୍ଷେପଣ କରିହେବ। ଏହା ଜଳ ଭିତରେ କ୍ଷୀପ୍ର ବେଗରେ ଗତି କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ବିସ୍ଫୋରଣ ଘଟାଇବ।
ଯେତେବେଳେ ମିତ୍ର ଆଉ ଶତ୍ରୁ ଦେଶ ସମସ୍ତେ କରୋନା ମହାମାରୀ ସହ ଯୁଝୁଛନ୍ତି ସେ ସମୟରେ ପରସ୍ପରକୁ ଟର୍ପେଡୋ ମାରି ପାଣି ଭିତରେ ଯୁଦ୍ଧ କରିବାର ସମୟ ବା କାହାର ଅଛି? ଯୁଦ୍ଧାସ୍ତ୍ର ଭାରତକୁ ବିକ୍ରି କରି ଆମେରିକା ବିରାଟ ସହଯୋଗ କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ଅସଲରେ ଏହା ବିପଦ ବେଳେ ବ୍ୟବସାୟ ଭିନ୍ନ ଅନ୍ୟକିଛି ନୁହେଁ। କରୋନା ଦ୍ବାରା ବର୍ତ୍ତମାନ ବିଶ୍ବର ସବୁଠୁ ଅଧିକ କ୍ଷତିଗ୍ରସ୍ତ ଦେଶ ଆମେରିକାର ଅର୍ଥନୀତି ଦୋହଲିଯାଇଛି। ଗୋଟିଏ ପରେ ଗୋଟିଏ କାରଖାନା ବନ୍ଦ ହେଉଛି, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହେଉଛି। ଜରୁରୀ ଆବଶ୍ୟକତା ପାଇଁ ଆମେରିକାକୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଭଳି ସମୟରେ ବିକ୍ରି କରିବା ପାଇଁ ଅଦରକାରୀ ପୁଳାଏ ଶସ୍ତ୍ର ଛଡ଼ା ଆମେରିକା ପାଖରେ ଆଉ କିଛି ବି ନାହିଁ।
ଏଇଠି ମନେ ରଖିବାକୁ ହେବ ଯେ ବିଶ୍ବର ସବୁଠୁ ଅଧିକ ଯୁଦ୍ଧାସ୍ତ୍ର ରପ୍ତାନୀ କରୁଥିବା ଦେଶ ହେଉଛି ଆମେରିକା। ଆମେରିକାର ଅର୍ଥନୀତିର ଗୋଟିଏ ବଡ଼ ମେଜିଆ ହେଉଛି ଏଇ ଯୁଦ୍ଧାସ୍ତ୍ର ବ୍ୟବସାୟ। ସହଜ ଭାବରେ କହିଲେ ଆମେ ଏପରି ବୁଝିବା, ଯେ ବିଶ୍ବରେ ଆମେରିକାର ଅସ୍ତ୍ର-ଗ୍ରାହକମାନେ ଯେତେ ଅଧିକ ଯୁଦ୍ଧରେ ଲିପ୍ତ ହେବେ ଆମେରିକାର ଅର୍ଥନୀତି ସେତେ ଲାଭବାନ ହେବ। ଅନେକ ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରସ୍ତାବ ରଖୁଥିବା ଆମେରିକା କଥା ଭାବିଲେ ଏ ଲେଖକକୁ ହସମାଡ଼େ। ଏହି ଦୁଇ ଦେଶର ପ୍ରମୁଖ ସମସ୍ୟା ହେଉଛି କଶ୍ମୀର, ଆଉ ଏ ସମସ୍ୟା ହଟିଗଲେ ଦୁଇଦେଶ ଭିତରେ ଶତ୍ରୁତା ବି ପ୍ରାୟତଃ ରହିବନାହିଁ। ଏ ଦୁଇଦେଶ ମଧ୍ୟରେ ଶତ୍ରୁତା ସ୍ଥାୟୀ ନହେଲେ ଆମକୁ ଅସ୍ତ୍ର ବିକୁଥିବା ଆମେରିକା ଓ ଅନ୍ୟ ଦେଶଗୁଡ଼ିକର ଯୁଦ୍ଧବଜାର ତିଷ୍ଟିବ କେମିତି?
ଚୀନ ଅପେକ୍ଷା ଆମେରିକାକୁ ଅଧିକ ନିକଟତର ଓ ବନ୍ଧୁ ଭାବିଥାଏ ଭାରତ। ଭାରତ-ଚୀନ ସମ୍ପର୍କ ଯେପରି ଆମେରିକା-ଚୀନ୍ ସମ୍ପର୍କ ପ୍ରାୟତଃ ସେପରି ପ୍ରତୀୟମାନ ହୁଏ। କିନ୍ତୁ ଆମକୁ ଗୋଟିଏ କଥା ହେଜିବାକୁ ହେବ ଯେ ବ୍ୟବସାୟରେ କେହି ଶତ୍ରୁ ବା ମିତ୍ର ନୁହନ୍ତି। ଆଜି ଆମକୁ ମିତ୍ର ମନେ ହେଉଥିବା ବ୍ୟବସାୟୀ ଫାଇଦା ପାଇଁ ଆମର ଶତ୍ରୁ ସହ ଯେକୌଣସି ମୁହୂର୍ତ୍ତରେ ହାତ ମିଳେଇପାରେ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ୩ ଦିନ ତଳେ।
ମାତ୍ର ୩ ଘଣ୍ଟାରେ କରୋନା ଭୂତାଣୁ ପରୀକ୍ଷଣ ସମ୍ଭବ ବୋଲି ଦାବି ହେଉଥିବା ଏକ ଲକ୍ଷ ରାପିଡ୍ ଟେଷ୍ଟିଂ କିଟ୍ ଚୀନ୍ରୁ ଭାରତ ଆସିବାର ଥିଲା। ୩ ଦିନ ତଳେ ଏ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଗଣମାଧ୍ୟମକୁ ଆସିଲା। ବହୁଦିନ ଆଗରୁ ତାମିଲନାଡ଼ୁ ରାଜ୍ୟ ଏହି କିଟ୍ ପାଇଁ ଅର୍ଡର ଦେଇଥିଲେ ହେଁ ଅର୍ଡର ସାମଗ୍ରୀ ଭାରତ ବଦଳରେ ଆମେରିକାକୁ ପଠାଇଦେଇଛି ଚୀନ୍। କରୋନା ଭୂତାଣୁକୁ ଖୋଲାଖୋଲି ଭାବେ ‘ଚାଇନା ଭୂତାଣୁ’ କହିବା ସହ ଏଥିପାଇଁ ଚୀନ ଉପରେ ରାଗ ଝାଡ଼ୁଥିବା ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ତଳେ ଚୀନ୍ ରାଷ୍ଟ୍ରମୁଖ୍ୟ ଜିନପିଙ୍ଗଙ୍କ ସହ କଥା ହେବା ପରେ କାହିଁକି ନରମିଗଲେ ତାହାର ଉତ୍ତର ଏବେ ମିଳିଲା।
ଆମେରିକା ଆମଠାରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ମାଗିଥିଲା ଓ ଭାରତ ଏଥିରେ ରାଜି ମଧ୍ୟ ହୋଇଥିଲା। ଭାରତର କରୋନା ସ୍ଥିତି ଆମେରିକା ଭଳି ହୋଇନଥିଲେ ହେଁ ଆମର ସମ୍ବଳ ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ତାଙ୍କ ଠାରୁ ନ୍ୟୁନ ନିଶ୍ଚୟ। ଏ ବେଳାରେ ଆମଠୁ ଔଷଧ ମାଗୁଥିବା ଦେଶ ଆମକୁ ଯୁଦ୍ଧାସ୍ତ୍ର ନ ଦେଇ ତା ପାଖରେ ଉପଲବ୍ଧ ଅନ୍ୟ ସ୍ବାସ୍ଥ୍ୟ ଉପକରଣ ଓ ଜରୁରୀ ସାମଗ୍ରୀ ଦେଇପାରିଥାଆନ୍ତା। ଅବଶ୍ୟ ଏ ନେଇ ଆମ ସରକାର ଚିନ୍ତା କରିଛନ୍ତି କି ନା ଜଣାନାହିଁ। ଯୁଦ୍ଧାସ୍ତ୍ର କ୍ରୟ ମଞ୍ଜୁରୀ ଉପରେ ଭାରତ ସରକାରଙ୍କର ସହାସ୍ୟ ଧନ୍ୟବାଦ ବା ବିଷଣ୍ଣ ପ୍ରତ୍ୟାଖ୍ୟାନ ଏଯାଏଁ ଆସିନାହିଁ।
ସାରା ବିଶ୍ବ ଏବେ ଗୋଟିଏ ଶତ୍ରୁ ସହ ଯୁଦ୍ଧ କରୁଛି। କରୋନା କବଳରୁ ମୁକ୍ତି ପାଇବା ହିଁ ଏକମାତ୍ର ବିଜୟ। ଏ ବିଜୟ ପାଇଁ ଟର୍ପେଡୋର ଆବଶ୍ୟକତା ନାହିଁ। ଆବଶ୍ୟକତା ରହିଛି ଆମ କାନ୍ଧ ସହ କାନ୍ଧ ମିଳାଇ ଠିଆହେଇ ପାରୁଥିବା ଅସଲ ମିତ୍ର ଦେଶ।
ଏ ଲେଖକ ପ୍ରତିରକ୍ଷା ବିଶେଷଜ୍ଞ ବା ଅର୍ଥନୀତି ବିଶାରଦ ନୁହେଁ। କିନ୍ତୁ ମନେହୁଏ, କରୋନା ପରବର୍ତ୍ତୀ ସମୟରେ ସବୁକିଛି ବଦଳିଯିବ। କରୋନା ପୂର୍ବରୁ ଆମେ ଯେଉଁ ପୃଥିବୀ ଭୋଗ କରୁଥିଲେ କରୋନାର ଅନ୍ତ ହେବା ପରେ ଆମକୁ ଆଉ ସେ ପୃଥିବୀ ମିଳିବନାହିଁ। ଜୀବନ ଯାହା ଥିଲା ଆଉ କେବେ ବି ସେଭଳି ରହିବନାହିଁ। ଶତ୍ରୁ, ମିତ୍ର, ଯୁଦ୍ଧ, ଶାନ୍ତି, ଏ ସବୁର ସଜ୍ଞା ବଦଳିଯିବ। ଆମ ପାଇଁ ଯୁଦ୍ଧାସ୍ତ୍ର ଅପେକ୍ଷା ଅନ୍ୟ ଆବଶ୍ୟକତା ଜରୁରୀ ହୋଇ ଉଭାହେବ। ଏକଦା ଜଗତୀକରଣକୁ ଏକ ବରଦାନ ଭାବେ ବିବେଚନା କରୁଥିବା ଭାରତ ହୁଏତ ଜଗତର ଜଙ୍ଗଲରୁ ଖସି ଆସି ପୁଣି ନିଜ ବିବର ଭିତରେ ପ୍ରତ୍ୟୟ ଓ ପ୍ରାଚୁର୍ଯ୍ୟର ସନ୍ଧାନ କରିବ। ସେତେବେଳେ ଆମେରିକାର ଟର୍ପେଡୋ ହରିରାଜପୁର ମେଲଣର ହାବେଳୀ ବାଣ ଠାରୁ ବି ନ୍ୟୁନ ଦିଶିବ।
ମାର୍କିନ୍: ଭାରତରେ ‘ଆମେରିକାନ୍’ ଶବ୍ଦର ଗାଉଁଲି ପ୍ରତିଶବ୍ଦ