ଅମାନିଆ ଭିଭିଆଇପି: ବିଧାୟକଙ୍କ ଝିଅ ବାହାଘରରେ ଯୋଗଦେଲେ ୟେଦୁରପ୍ପା, ପୁଅ ବାହାଘର କରାଇଲେ କୁମାରସ୍ବାମୀ

ବେଙ୍ଗାଲୁରୁ: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍ଡାଉନ୍ ଜାରି ହୋଇଥିଲେ ହେଁ ଖୋଦ୍ ନିୟମ ପ୍ରଣୟନକାରୀ କିଭଳି ଖୋଲାଖୋଲି ଭାବେ ବେଆଇନ କାମ କରୁଛନ୍ତି ତାହାର ଦୁଇଟି ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି କର୍ଣ୍ଣାଟକରେ। ଲକ୍ଡାଉନ୍ ନିୟମ ନ ମାନି ଚଳିତ ସପ୍ତାହରେ ରାଜ୍ୟରେ ଗୋଟିିଏ ହାଇ ପ୍ରୋଫାଇଲ୍ ବାହାଘର ହୋଇଥିବା ବେଳେ ଗତ ମାସରେ କରୋନା କଟକଣା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଗୋଟିଏ ବିବାହ ଭୋଜିରେ ଯୋଗ ଦେଇଥିଲେ। ମାସ୍କ ଓ ସାମାଜିକ ଦୂରତା ବିିନା ଏହି ଦୁଇ ଭୋଜିରେ ଶାସକ ବିଜେପି ଓ ଅନ୍ୟ ଦଳର ନେତା ମନ୍ତ୍ରୀ ସାଙ୍ଗକୁ ବହୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଯୋଗ ଦେଇଥିବା ଦେଖିବାକୁ ମିଳିଛି।
ସରକାରୀ ମୁଖ୍ୟ ସଚେତକଙ୍କ ଝିଅ ବାହାଘର
ମାର୍ଚ୍ଚ ୧୫ ତାରିଖରେ ବେଲଗାଭି ସହରର ଉଦ୍ୟମବାଗ ଠାରେ ରାଜ୍ୟ ବିଧାନ ପରିଷଦ ସଦସ୍ୟ ତଥା ସରକାରୀ ମୁଖ୍ୟ ସଚେତକ ମହାନ୍ତେଶ କବାଟଘିମାଥଙ୍କ ଝିଅ ବାହାଘର ଅନୁଷ୍ଠିତ ହୋଇଥିଲା। କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ଠାରୁ ବେଲଗାଭିର ଦୂରତା ୫୧୦ କିଲୋମିଟର ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଏହି ବିବାହ ଭୋଜିରେ ଯୋଗ ଦେଇଥିଲେ। ଏ ଭୋଜିରେ କେନ୍ଦ୍ରମନ୍ତ୍ରୀ ସୁରେଶ ଅଙ୍ଗାଦି ମଧ୍ୟ ଯୋଗ ଦେଇଥିଲେ। ୟେଦୁରପ୍ପାଙ୍କ ମନ୍ତ୍ରୀ ପରିଷଦର ବାସବରାଜ ମୋବାଇ, ଶ୍ରୀମନ୍ତ ପାଟିଲ, ଦଳୀୟ ସାଂସଦ ପ୍ରଭାକର କୋରେ, କଂଗ୍ରେସ ନେତା ଆଲାମ ବୀରଭଦ୍ରପ୍ପା, ଶାମନୁର ଶିବଶଙ୍କରପ୍ପା, ବହୁ ସଂଖ୍ୟାରେ ବିଧାୟକ, ବହୁ ସଂଖ୍ୟାରେ ସାଧୁସନ୍ଥ ଓ ବହୁ ଜଣାଶୁଣା ବ୍ୟକ୍ତିତ୍ବ ମଧ୍ୟ ଏହି ବାହାଘରରେ ଯୋଗ ଦେଇଥିଲେ।
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ବାହାଘର
ଏପ୍ରିଲ ୧୭ ତାରିଖରେ ବେଙ୍ଗାଲୁରୁରେ ପୂର୍ବ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ପୁଅ ନିଖିଳଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟ ନିଖିଳଙ୍କ ଜେଜେ ତଥା ପୂର୍ବ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ା, ବହୁ ସଂଖ୍ୟାରେ ଦଳୀୟ ସହଯୋଗୀ ଓ ବନ୍ଧୁବାନ୍ଧବ ଯୋଗ ଦେଇଥିଲେ। ସମାଲୋଚନା ହେବାରୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ବାହାଘର ଭୋଜିରେ ଯୋଗ ଦେଇଥିବା କଥା ଉଠାଇଥିଲେ କୁମାରସ୍ବାମୀ। ସେହିପରି ମାସ୍କ କେହି ପିନ୍ଧିନଥିବା ନେଇ ସମାଲୋଚନା ହେବାରୁ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିବା ଅନୁସାରେ ମାସ୍କ ସମସ୍ତେ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ସଫେଇ ଦେଇଛନ୍ତି କୁମାରସ୍ବାମୀ।
ସବୁଠୁ ବଡ଼ କଥା ହେଲା କୁମାରସ୍ୱାମୀଙ୍କ ଏହି ଭୋଜିରେ ମୁଖ୍ୟମନ୍ତ୍ରୀ ୟେଦୁରୁପ୍ପା ଯୋଗ ଦେଇ ନଥିଲେ ବି ଆଜି ଏହା ସମର୍ଥନରେ ମନ୍ତବ୍ଯ ରଖିଛନ୍ତି।
ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିୟମଭଙ୍ଗ ଆଚରଣ କଡ଼ାକଡ଼ି ନିୟମ ପାଳୁଥିବା ଓ ଅମାନ୍ୟ କଲେ ଦଣ୍ଡ ପାଉଥିବା ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।