ରାଜ୍ୟରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଛି। ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦିଆଗଲା ପ୍ରଥମ ଟିକା। ଏନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ସ୍ୱାସ୍ଥ୍ୟ ସଚିବ କହିଛନ୍ତି, କୋଭିଡ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ଆମେ ଉପନୀତ ହୋଇଛୁ। ଆଜି କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଯାଇଛି। ପ୍ରଥମେ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ବିରଞ୍ଚି ନାୟକ ଟିକା ନେଇଛନ୍ତି।
୨ୟରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଟିକା ନେଇଛନ୍ତି। ୧୬୧ଟି କେନ୍ଦ୍ରରେ ୧୬ ହଜାର ୧୦୦ ଜଣଙ୍କୁ ଆଜି ଟିକା ଦିଆଯିବ। କାଲି ଟିକା ଦିଆନ ଯାଇ ସେମାନଙ୍କୁ ନୀରିକ୍ଷଣ କରାଯିବ। ଆସନ୍ତା ୨୫ ତାରିଖ ଭିତରେ ୩.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ନିମନ୍ତେ ଟାର୍ଗେଟ ରଖାଯାଇଥିବା ସ୍ୱାସ୍ଥ୍ୟ ସଚିବ କହିଛନ୍ତି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ, ଟିକାକରଣ ପାଇଁ ପ୍ରତି ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍ ପଠାଯାଇଛି । ଏହି ଅନୁଯାୟୀ ୧୮ ବର୍ଷରୁ କମ୍ , ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା, ଅସୁସ୍ଥ ବା ଚିକିତ୍ସାଧୀନଙ୍କୁ ଟିକାକରଣ ବାରଣ ରହିଛି ।
ସେହିପରି ୧୪ ଦିନ ଭିତରେ ଅନ୍ୟ କିଛି ଟିକା ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ କୋଭିଡ୍ ଟିକା ଦିଆଯିବ ନାହିଁ । କୋଭିଡ ଲକ୍ଷଣ ଥିଲେ ସୁସ୍ଥ ହେବାର ୫ରୁ ୮ ସପ୍ତାହ ପରେ ଯାଇଁ ଟିକା ନେଇ ହେବ । ସବୁ ଟିକାକରଣ କେନ୍ଦ୍ରରେ ୱେଟିଂ ରୁମ୍, ଭ୍ୟାକ୍ସିନ୍ ରୁମ୍ ଓ ଅବ୍ଜରଭେସନ୍ ରୁମ୍ର ବ୍ୟବସ୍ଥା ହୋଇଛି ।
ପ୍ରତିଦିନ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟିକାଦାନ କାର୍ଯ୍ୟକ୍ରମ ହେବ। ଟିକାକରଣ ଲାଗି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨ଟି କରୋନା ପ୍ରତିଷେଧକ ଟିକା କୋଭିସିଲ୍ଡ ଓ କୋଭିକ୍ସିନର ଡୋଜ ପହଞ୍ଚାଯାଇଛି। ଭାରତୀୟ ଔଷଧ ମହାନିୟନ୍ତ୍ରକ ଏହି ୨ ଟି ଟିକାକୁ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ପ୍ରଦାନ କରାଯାଇଛି।