ଆତ୍ମାହୁତି ପ୍ରରୋଚନା ଦେଇଥିବା ବ୍ୟକ୍ତିମାନେ ତଦନ୍ତ ପରିସର ଭୁକ୍ତ ହେବେ: ଡିସିପି

ଭୁବନେଶ୍ୱର: ଥମୁନି ଆତ୍ମାହୁତି ଉଦ୍ୟମ। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଗତ ୨ ଦିନ ଭିତରେ ବିଧାନସଭା ସମ୍ମୁଖରେ ୩ଜଣ ଆତ୍ମାହୁତି ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି। ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, ଆତ୍ମାହୁତି ଦେବାକୁ ପ୍ରରୋଚନା ଦେଇଥିବା ବ୍ୟକ୍ତିମାନେ ମଧ୍ୟ ତଦନ୍ତ ପରିସର ଭୁକ୍ତ ହେବେ।
ବିଧାନସଭା ସମ୍ମୁଖରେ ଗତକାଲି ଓ ଆଜି ଆତ୍ମାହୁତି ଉଦ୍ୟମ କରିଥିବା ମୋଟ ୩ ଜଣଙ୍କୁ ଗିରଫ କରାଯାଇଛି। ତେବେ ସେମାନଙ୍କ ପଛରେ କିଛି ଲୋକ ଥିବା ସନ୍ଦେହ କରୁଛୁ ବୋଲି ଡିସିପି କହିଛନ୍ତି। ସେମାନଙ୍କୁ କିଏ ଆଣିଲା, ଫଟୋ ଓ ଭିଡିଓ କିଏ ସୁଟ କଲା ତାହାର ତଦନ୍ତ କରାଯିବ। ଏଭଳି କରିବା ପାଇଁ ଯିଏ ପ୍ରରୋଚିତ କରିଛି, ତଦନ୍ତ ପରିସରଭୁକ୍ତ ହେବେ। ଆମେ ଭାବୁଛୁ ସେମାନଙ୍କ ପଛରେ ଆଉ କିଛି ଲୋକ ରହିଛନ୍ତି। ଏଭଳି କଲେ ମାମଲାର ସମାଧାନ ହୋଇଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଉଛନ୍ତି। ସେଭଳି ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରରୋଚନା ଦେଉଥିବା ଲୋକଙ୍କୁ ଖୋଜାଯିବ। ଆତ୍ମାହୁତି ଉଦ୍ୟମ ଏକ ଅପରାଧିକ କାର୍ଯ୍ୟ, ସେ ହିସାବରେ ପୁଲିସ ଟ୍ରିଟ କରିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି।
ଆଜି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଥିବା ଜଣେ ମହିଳା ଓ ତାଙ୍କ ପୁଅଙ୍କୁ ପୁଲିସ ଗିରଫ କରିଛି। ବଜେଟ ଅଧିବେଶନ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଆତ୍ମାହୁତି ଉଦ୍ୟମ ହୋଇଛି। ଆତ୍ମାହୁତି ଉଦ୍ୟମକୁ ରୋକାଯିବା ପାଇଁ ପୁଲିସ ପକ୍ଷରୁ ବିଧାନସଭା ଚାରିପଟ ରାସ୍ତାକୁ ସିଲ କରାଯାଇଥିଲା। ତଥାପି ଆଜି ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି।
ବିଧାନସଭା ନିକଟ ଜୟଦେବ ଭବନ ସାମ୍ନା ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ ପେଟ୍ରୋଲ ଢାଳିବା ଅବସରରେ ଉପସ୍ଥିତ ପୁଲିସ ତାଙ୍କୁ କାବୁ କରିଛନ୍ତି। ତେବେ ମହିଳା ଜଣକ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ବୋଲି ଜଣାଯାଇଛି। ଏନେଇ କମିଶନରେଟ ପୁଲିସ ସମ୍ପୃକ୍ତ ମହିଳା ଓ ତାଙ୍କ ପୁଅଙ୍କୁ ଗିରଫ କରିଥିବା ଜଣାଯାଇଛି। ସେହିପରି ଗତକାଲି ମଧ୍ୟ ଜଣେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ।