Odisha Link
Bridging the Missing Links in Odisha

କୃଷକଙ୍କ ରେଳ ରୋକ: ଧାରଣାରେ ଶୋଇ ଅଟକାଇଲେ ଚାଷୀ

ନୂଆଦିଲ୍ଲୀ: କିଛି ଦିନ ହେବ କୃଷକ ଆନ୍ଦୋଳନ ଜୋର ଧରିଛି। ପ୍ରଥମେ ଟ୍ରାକ୍ଟର ରାଲି ପରେ ଚକା ଜାମ୍ ଓ ଏବେ ରେଳ ରୋକ୍। କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି ନୂତନ କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ କୃଷକ ମାନେ ରେଳ ରୋକ କରିଛନ୍ତି।

ଆଜି କୃଷକ ସଂଗଠନ ମାନଙ୍କ ପକ୍ଷରୁ ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୪ ଟା ଯାଏ ଏହି ରେଳ ରୋକ୍ ଚାଲିଛି। ଏହି ରେଳ ରୋକରେ ଦେଶର ସମସ୍ତ ପ୍ରାନ୍ତରରୁ କୃଷକ ସଂଗଠନ ମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। କୃଷକ ମାନେ ବିଭିନ୍ନ ସ୍ଥାନରେ ଟ୍ରାକ ଉପରେ ଶୋଇ ରହି ରେଳ ଅଟକାଉଥିବା ଦେଖିବାକୁ ମିଳିଛି। ଫଳରେ ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ରେଳ ସେବା ବାଧାପ୍ରାପ୍ତ ହୋଇଛି।

ଦିଲ୍ଲୀରେ ୪ ଟି ମେଟ୍ରୋ ଷ୍ଟେସନକୁ ରେଳ ବିଭାଗ ପକ୍ଷରୁ ବନ୍ଦ କରାଯାଇଛି। ଏହାସହ ନଙ୍ଗଲୋଇ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅଧିକାଂଶ ସ୍ଥାନରେ ରେଳ ଅଟକି ରହିଛି। ଶେଷ ସୂଚନା ମୁତାବକ ଏହି ଆନ୍ଦୋଳନ ଏବେ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି। କୃଷକ ମାନେ ଏହି ବିଲ୍ କୁ ବିରୋଧ କରି ଦୀର୍ଘ ୩ ମାସ ହେବ ଧାରଣାରେ ବସିଥିବା ବେଳେ ଏନେଇ ସରକାରଙ୍କ ସହ ୧୧ ଥର ବୈଠକ ବସି ସାରିଛି।

ଏହି ବୈଠକରୁ କିଛି ସୁଫଳ ମିଳୁ ନଥିବାରୁ କୃଷକ ମାନେ ସେମାନଙ୍କର ଆନ୍ଦୋଳନର ତରିକା ବଦଳାଇବାରେ ଲାଗିଛନ୍ତି। ପ୍ରଥମେ ଟ୍ରାକ୍ଟର ରାଲି, ତା ପରେ ଚକା ଜାମ୍ ଓ ଆଜି ରେଳ ରୋକ କରି କୃଷକ ସଂଗଠନ ମାନେ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଛନ୍ତି।

ଚାଷୀ ଆନ୍ଦୋଳନ ମଧ୍ୟରେ ପଞ୍ଜାବରେ ହୋଇଥିବା ମ୍ୟୁନିସପାଲଟି ନିର୍ବାଚନରେ କୃଷକ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି। ପଞ୍ଜାବ ନିର୍ବାଚନ ରେ ବିଜେପି ଏକ ପ୍ରକାର ସଫା ହୋଇ ଯାଇଛି। କଂଗ୍ରେସକୁ ଆଶାତିତ ସଫଳତା ମିଳିଥିବା ବେଳେ ଅକାଳୀଦଳ କାଁ ଭାଁ କେଉଁଠି ଜିତି ନିଜର ସ୍ଥିତି ଜାହିର କରିବାକୁ ଚେଷ୍ଟା କରିଛି।

Comments are closed.