Odisha Link
Bridging the Missing Links in Odisha

ସପ୍ତାହକ ମଧ୍ୟରେ ଲଞ୍ଚ୍‌ ହେବ ବ୍ଲାକ୍‌ ଫଙ୍ଗସ୍‌, ହ୍ବାଇଟ୍‌ ଫଙ୍ଗସ୍‌ ଏବଂ ୟେଲୋ ଫଙ୍ଗସ୍‌ ଔଷଧ: ବାବା ରାମଦେବ

କାର୍ଯ୍ୟ ସରିଛି ଏବଂ ଶେଷ ଷ୍ଟେଜ୍‌ରେ ରହିଛି

ନୂଆଦିଲ୍ଲୀ: ଏଲୋପାଥିକୁ ନେଇ ଦେଉଥିବା ବାବାଦୀୟ ବୟାନ ପାଇଁ ବାବା ରାମଦେବ ଚର୍ଚ୍ଚାରେ। ବାବା ରାମଦେବଙ୍କୁ ନେଇ ଡାକ୍ତରଙ୍କ ମହଲ​‌ରେ ଏବେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବାବା ଏବେ ବ୍ଲାକ୍‌ ଫଙ୍ଗସ୍‌ ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି। ପୂର୍ବରୁ କରୋନିଲ୍‌କୁ କରୋନା ଔଷଧ ନେଇ ମଧ୍ୟ ଦାବି କରିଥିଲେ।

ରାମଦେବ ଦାବି କରି କହିଛନ୍ତି, ପତଞ୍ଜଳୀ ବ୍ଲାକ ଫଙ୍ଗସ୍‌ ପାଇଁ ଆୟୁର୍ବେଦିକ୍‌ ଔଷଧ ପ୍ରସ୍ତୁତ କରିଛି। ଏହାକୁ ଗୋଟିଏ ସପ୍ତାହ ମଧ୍ୟରେ ବଜାରରେ ଲଞ୍ଚ କରାଯିବ। ଏକ ସାକ୍ଷାତକାରରେ ରାମଦେବ କହିଛନ୍ତି, ମୁଁ ମୋ କାମରୁ ବିମୁଖ ହୋଇନାହିଁ। ତମାମ ବିବାଦ ସତ୍ବେ ୧୮ ଘଣ୍ଟା ସେବା କରୁଛି। ଆଗକୁ ବାବା ଆହୁରି କହିଛନ୍ତି, ଗୋଟିଏ ସପ୍ତାହରେ ବ୍ଲାକ୍‌ ଫଙ୍ଗସ୍‌, ହ୍ବାଇଟ୍‌ ଫଙ୍ଗସ୍‌ ଏବଂ ୟେଲୋ ଫଙ୍ଗସ୍‌ ପାଇଁ ଆୟୁର୍ବେଦିକ୍‌ ଚିକିତ୍ସା ଦେବି। କାର୍ଯ୍ୟ ସରିଛି ଏବଂ ଶେଷ ଷ୍ଟେଜ୍‌ରେ ରହିଛି। ଆମେ ଏବେ ବି ଫଙ୍ଗସ୍‌ ପାଇଁ ଔଷଧ ତିଆରି କରୁଛୁ।

ଆଇଏମଏକୁ ନେଇ ଚାଲିଥିବା ବିବାଦ ଉପରେ ରାମଦେବ କହିଛନ୍ତି, ଆଇଏମଏ ପାଖରେ କୌଣସି ପ୍ରକାର ସାଇଣ୍ଟିଫିକ୍‌ ଭ୍ୟାଲିଡେସନ୍‌ ନାହିଁ କି ଏହା ପାଖରେ କୌଣସି ଲ୍ୟାବ ନାହିଁ । ଆଇଏମଏ କେବଳ ଏକ ଏନଜିଓ କହିବା ସହ ଆୟୁର୍ବେଦ ଏବଂ ଯୋଗକୁ ଅସମ୍ମାନ କରାଯାଇଛି ବୋଲି ରାମଦେବ କହିଛନ୍ତି। କରୋନିଲ୍‌କୁ ପ୍ରମାଣହୀନ ବୋଲି କହି ଆଇଏମଏ ଆୟୁର୍ବେଦର ଥଟ୍ଟା କରିଛି। ବିବାଦ ଏହାକୁ ନେଇ ହୋଇଛି ବୋଲି ସେ କହିଛନ୍ତି।

ସେପଟେ ଏଲୋପାଥିକୁ ନେଇ ରାମଦେବ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ମଙ୍ଗଳବାର ଦେଶର ସମସ୍ତ ଘରୋଇ ଡାକ୍ତର ପ୍ରଦର୍ଶନ କରିଛନ୍ତି। ରାମଦେବ କ୍ଷମା ମାଗନ୍ତୁ ନଚେତ ତାଙ୍କ ବିରୋଧରେ ମହାମାରୀ ରୋଗ ଅଧିନିୟମ ଆଧାରରେ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଘରୋଇ ଡାକ୍ତର ସଂଘ ଦାବି କରିଛି।