୫-ଟି ଗୋଟେ ଡୁପ୍ଲିକେଟ ଡିପାର୍ଟମେଣ୍ଟ: ଜୟନାରାୟଣ ମିଶ୍ର

ଓଏଲ୍ ବ୍ୟୁରୋ: ନିର୍ଦ୍ଧାରିତ ସମୟର ୬ ଦିନ ପୂର୍ବରୁ ବନ୍ଦ ହୋଇଛି ବିଧାନସଭା ବଜେଟ ଅଧିବେଶନ। ୪ଟି କାର୍ଯ୍ୟଦିବସ ଥାଇ ବିଧାନସଭାର ୨୭ଦିନିଆ ବଜେଟ୍ ଅଧିବେଶନକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆଜି ଅଚାନକ ପରିବର୍ତ୍ତନ କରିବା ସହ ଚଳିତ ସପ୍ତାହରେ ଗୃହରେ ଉପସ୍ଥାପିତ ହୋଇଥିବା ୩ଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ମଧ୍ୟ ସରକାର ଶେଷ ମୁହୂର୍ତ୍ତରେ ଫେରାଇ ନେଇଛନ୍ତି। ବିଧାନସଭାର ବଜେଟ ଅଧିବେଶନ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ବିଧାୟକ ଦଳ ନେତା ଜୟନାରାୟଣ ମିଶ୍ର।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ବିନା ଆଲୋଚନା ପରାମର୍ଶରେ ସ୍ୱେଚ୍ଛାଚାରିତା ଭାବେ ବିଧାନସଭା ବନ୍ଦ କରିଦେଲେ ସରକାର। ଏଥରକ ଅନେକ ଗୁଡିଏ ବିଲ୍ ଥିଲା। ଚଳିତ ବିଧାନସଭାରେ କିଛି ବିଲ୍ ଆଗତ ମଧ୍ୟ ହୋଇଥିଲା। କିନ୍ତୁ ଏହି ବିଲ ଭିତରୁ କିଛି ବିଲକୁ ପ୍ରତ୍ୟାହାର କରି ନେଇଛନ୍ତି ସରକାର। ଯୁଦ୍ଧଭୂମି ଛାଡି ପଳାୟନ କଲେ ସରକାର।
ସେ ଆହୁରି ମଧ୍ୟ କହିଛନ୍ତି, ଏବେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନାହିଁ। କ୍ୟାବିନେଟ ମନ୍ତ୍ରୀଙ୍କୁ ସରକାରୀ ପୁଲିସ ଦିନ ଦ୍ୱିପ୍ରହରରେ ହତ୍ୟା କରାଗଲା। ୨ ମାସରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ହତ୍ୟା ପଛରେ କିଏ ଅଛି ତାହା ଏଯାଏଁ ଜଣାପଡିଲାନି। ଏହି ସରକାର ଡୁପ୍ଲିକେଟ ସରକାର। ସାର୍ଟିଫିକେଟ ଠାରୁ ଆରମ୍ଭ କରି ସବୁକିଛି ଏଠି ଡୁପ୍ଲିକେଟ। ୫-ଟି ଗୋଟେ ଡୁପ୍ଲିକେଟ ଡିପାର୍ଟମେଣ୍ଟ। ଆମେ ଯାହା ପ୍ରଶ୍ନ କରିଥିଲୁ ତାହାର ଉତ୍ତର ମିଳିପାରିନାହିଁ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।
ଅନ୍ୟପଟେ, ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ନକଲି ସାର୍ଟିଫିକେଟ୍ ବିକ୍ରି ମାମଲାର ବର୍ଷିଛନ୍ତି। ସେ କହିଛନ୍ତି, ଜାଲ ସାର୍ଟିଫିକେଟର ମୁଖ୍ୟ ଅଭିଯୁକ୍ତଙ୍କ ଘରକୁ ଯାଉଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ। ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସହ ମଧ୍ୟ ଅଭିଯୁକ୍ତଙ୍କ ଫଟୋ ଆସିଲା। କେଉଁ ପରିସ୍ଥିତିରେ ଫଟୋ ନିଆଗଲା ତାର ସ୍ପଷ୍ଟୀକରଣ କଂଗ୍ରେସ ଦାବି କରିଥିଲେ ମଧ୍ୟ ମନ୍ତ୍ରୀ କିଛି କହିଲେ ନାହିଁ ବୋଲି ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର।