ଆଉ ଦିନକ ପରେ ଆରମ୍ଭ ହେବ ବିଶ୍ୱକର୍ମା ଯୋଜନା, ଆୟୋଜନ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଓଏଲ୍ ବ୍ୟୁରୋ: ଆଉ ଦିନକ ପରେ ଅର୍ଥାତ୍ ସେପ୍ଟେମ୍ବର ୧୭ରୁ ଲାଗୁ ହେବ ପିଏମ୍ ବିଶ୍ୱକର୍ମା ଯୋଜନା। ଏନେଇ ଓଡ଼ିଶାର ଭୁବନେଶ୍ୱର, ସମ୍ବଲପୁର, ପୁରୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ବିଶ୍ୱକର୍ମା ଯୋଜନାକୁ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି। ଏହି ଯୋଜନା ମାଧ୍ୟମରେ କେବଳ ଓଡ଼ିଶାରୁ ୧ ଲକ୍ଷ କାରିଗର ଉପକୃତ ହେବା ନେଇ ଆକଳନ କରାଯାଇଛି। ଏନେଇ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି।
ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେବାକୁ ଥିବା ବେଳେ ସମ୍ବଲପୁରରେ ଜନ୍ ବର୍ଲା ଉପସ୍ଥିତ ରହିବେ ବୋଲି ସ୍ଥିର ହୋଇଛି। ସେହିଭଳି ପୁରୀରେ କେନ୍ଦ୍ରମନ୍ତ୍ରୀ ଏମ୍. ମହେନ୍ଦ୍ର ଭାଇ ଉପସ୍ଥିତ ରହିବେ ବୋଲି କୁହାଯାଇଛି। ଏହି ଯୋଜନା ବିଶ୍ୱକର୍ମା ଯୋଜନାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ମିଳିବ ବୋଲି ସୂଚନା ରହିଛି।