Odisha Link
Bridging the Missing Links in Odisha

କ୍ରିକେଟ ବିଶ୍ବକପ୍‌ ୨୦୧୯: ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ମୁକାବିଲା, ବର୍ଷା ସାଜିପାରେ ବାଧକ

ନଟିଂହାମ: କ୍ରିକେଟ ବିଶ୍ବକପ୍‌ ୨୦୧୯ର ୧୮ ତମ ମ୍ୟାଚ୍‌ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟ୍ରେଣ୍ଟ ବ୍ରିଜରେ ଖେଳାଯିବ। ଦୀର୍ଘ ୧୬ ବର୍ଷ ପରେ ବିଶ୍ବକପ ମ୍ୟାଚରେ ଭେଟ ହେବେ ଏହି ୨ ଟିମ୍। କିନ୍ତୁ ଏହି ହାଇଭୋଲଟେଜ୍‌ ମ୍ୟାଚ ପୂର୍ବରୁ ସମ୍ଭାବ୍ୟ ବର୍ଷାକୁ ନେଇ ବେଶି ଚର୍ଚ୍ଚା ଜୋର ଧରିଛି। କାରଣ ଚଳିତ ବିଶ୍ବକପରେ ବର୍ଷା ପ୍ରମୁଖ ଭୂମିକା ବହନ କରିଛି। ଏଭଳି ସ୍ଥିତିରେ ଆଜିର ମ୍ୟାଚରେ ବର୍ଷା ବାଧା ସୃଷ୍ଟି କରିପାରେ। ପାଣିପାଗ ବିଭାଗ ଅନୁଯାୟୀ, ଗୁରୁବାର ନଟ୍ଟିଂହାମରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି କାରଣୁ ଭାରତ ତା’ର ଅନ୍ତିମ ଏକାଦଶରେ ଅତିରିକ୍ତ ପେସ୍ ବୋଲର ସହ ମଇଦାନକୁ ଓହ୍ଲାଇପାରେ। ଏହି ମ୍ୟାଚ୍ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ଟିମର ଷ୍ଟାର ଓପ୍ନର ଶିଖର ଧୱନ୍ ଆହତ କାରଣରୁ ତିନି ସପ୍ତାହ ବାଦ୍ ପଡ଼ିଛନ୍ତି। ଏଭଳି ସ୍ଥିତିରେ  ରୋହିତଙ୍କ ସହ ଲୋକେଶ ରାହୁଲ ଇନିଂସ୍ ଆରମ୍ଭ କରିବା ନେଇ ଦଳ ସଂଙ୍କେତ ଦେଇଛି। ଭାରତୀୟ ଦଳ ଧାୱନଙ୍କ ଅନୁପସ୍ଥିତି ଅନୁଭବ ହେବାକୁ ଦେବେ ନାହିଁ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ତେବେ ୪ ନମ୍ବର ସ୍ଥାନକୁ ନେଇ ତର୍କ ବିତର୍କ ପୁଣି ଥରେ ଆରମ୍ଭ ହୋଇଯାଇଛି। ଗୁରୁବାର କିନ୍ତୁ ଦୀନେଶ କାର୍ତିକ ଓ ବିଜୟ ଶଙ୍କରଙ୍କ ମଧ୍ୟରୁ ଜଣକୁ ସୁଯୋଗ ମିଳିବାର ସମ୍ଭାବନା ରହିଛି।

ଭାରତୀୟ ଦଳ ଲଗାତାର ଦୁଇଟି ବିଜୟ ହାସଲ କରିଥିଲା ବେଳେ ନ୍ୟୁଜିଲାଣ୍ଡ ଲଗାତାର ତିନିଟି ବିଜୟ ପାଇଛି। ଅଭ୍ୟାସ ମ୍ୟାଚ୍‌ରେ ଭାରତକୁ ନ୍ୟୁଜିଲାଣ୍ଡ ହରାଇଥିଲା। ପୁଣି ବିଶ୍ବକପ୍ ଇତିହାସରେ ଏହି ଦଳ ଭାରତଠାରୁ ଢେର ଆଗୁଆ ରହିଛି। ଇଂଲଣ୍ଡରେ ଖେଳା ଯାଇଥିବା ବିଶ୍ବକପ୍ ଗୁଡ଼ିକରେ ଭାରତ କେବେ ବି ନ୍ୟୁଜିଲାଣ୍ଡକୁ ହରାଇ ନାହିଁ। ଏସବୁ ଦୃଷ୍ଟିରୁ ଆସନ୍ତାକାଲିର ନଟିଂହାମ ମୁକାବିଲା ଭାରତ ପାଇଁ ବଡ଼ ଆହ୍ବାନ ଭାବେ ଉଭା ହେବାକୁ ଯାଉଛି। ଧାୱନ ଆହତ ହେବା ଟିମ୍ ଇଣ୍ଡିଆର ସନ୍ତୁଳନକୁ ବି ବିଗାଡ଼ି ଦେଇଛି। ନଟିଂହାମରେ ସର୍ବାଧିକ ଦଳଗତ ସ୍କୋର ୪୮୧/୬ ରହିଛି। ଏଠାରେ ସଫଳ ଚେଜିଂ ସ୍କୋର ୩୫୦/୩ ଅଛି। ତେବେ ସବୁକିଛି ପାଗ ଉପରେ ନିର୍ଭର କରିବ ବୋଲି କ୍ରିକେଟ ବିଶାରଦ ମାନେ କହିଛନ୍ତି। ଆଜିର ଏହି ମ୍ୟାଚ୍‌ ଭାରତୀୟ ସମୟ ଦିନ ୩ଟାରେ ଖେଳାଯିବ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ୍ ଶର୍ମା, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ଶିଖର ଧୱନ୍।
ନ୍ୟୁଜିଲ୍ୟାଣ୍ଡ୍ ଦଳ: କେନ୍ ୱିଲିୟମସନ୍ (ଅଧିନାୟକ), ମାର୍ଟିନ୍ ଗପ୍ଟିଲ, ମ୍ୟାଟ୍ ହେନରୀ, ଟମ୍ ଲାଥାମ, କଲିନ୍ ମୁନରୋ, ଜିମ୍ମି ନିଶାମ୍, ହେନରୀ ନିକୋଲ୍ସ, ମିଚେଲ୍ ସାଣ୍ଟନର, ଈଶ ସୋଢୀ, ଟ୍ରେଣ୍ଟ ବୋଲ୍ଟ, କଲିନ୍ ଡି’ଗ୍ରାଣ୍ଡହୋମ, ଲକି ଫର୍ଗୁସନ୍, ଟିମ୍ ସାଉଦି, ରସ୍ ଟେଲର, ଟମ୍ ବ୍ଲଣ୍ଡେଲ୍।

Comments are closed.