Odisha Link
Bridging the Missing Links in Odisha

ଲଗାଣ ବର୍ଷାରେ ବେହାଲ ସାରା ରାଜ୍ୟ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ଆଜି ମଧ୍ୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିଛି। କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଅତିପ୍ରବଳ ବର୍ଷା ଆଶଙ୍କା ଥିବା କେନ୍ଦୁଝର, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର, ଗଞ୍ଜାମ, ନୟାଗଡ଼, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, କନ୍ଧମାଳ ଓ ଗଜପତି ଏହି ଜିଲ୍ଲାମାନଙ୍କୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୪୮ ଘଣ୍ଟା ପରେ ପାଣିପାଗରେ ପରିବର୍ତ୍ତନ ଆସିପାରେ।
ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଏହାସହିତ ବଙ୍ଗୋପସାଗର ଉପରେ ଏକ ଟ୍ରପ୍ ଲାଇନ୍ ଯାଇଥିବାରୁ ପ୍ରବଳ ବର୍ଷା ଲାଗି ରହିଛି । ତେବେ ରାଜ୍ୟରେ ବନ୍ୟା ଭୟ ନଥିବା ଏସଆରସି କହିଛନ୍ତି । ଦୁଇ ଦିନର ଲଗାଣ ବର୍ଷାରେ ୫ଟି ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ୪୮ଟି ବ୍ଲକ୍ ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ କିଛିଟା ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ଏସଆରସି କହିଛନ୍ତି । ଜିଲ୍ଲାପାଳଙ୍କୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲାରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ସର୍ବାଧିକ ୨୪୯.୪ ମିମି ବର୍ଷା ହୋଇଥିବା ବେଳେ ଚିଲିକା ବ୍ଲକରେ ୨୦୩ ମିମି ବର୍ଷା ହୋଇଛି। ପୁରୀରେ ସର୍ବାଧିକ ୧୩୮.୩ ମିମି ବର୍ଷା ହୋଇଥିବା ବେଳେ ଗଞ୍ଜାମରେ ୧୨୫.୨, ଖୋର୍ଦ୍ଧାରେ ୧୦୫.୭, ଗଜପତିରେ ୧୦୦.୬ ଓ ଜଗତସିଂହପୁରରେ ୧୦୦ ମିମି ବର୍ଷା ରେକର୍ଡ କରାଯାଇଛି। ୪୬ରୁ ଅଧିକ ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି।

Comments are closed.