Odisha Link
Bridging the Missing Links in Odisha

ଓଡ଼ିଶାର ସୀମାନ୍ତ ଗାଁ ଆନ୍ଧ୍ର କବ୍‌ଜାରେ

ମାଲକାନଗିରି: ରାଜ୍ୟ ଓଡ଼ିଶା। ଗାଁ ବି ଓଡ଼ିଶାର। ହେଲେ ଚାଲିଛି ଆନ୍ଧ୍ରପ୍ରଦେଶ ସରକାର ରାଜୁତି। ଏପରିକି ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଉଛି ଆନ୍ଧ୍ର ସରକାର। ପଡ଼ୋଶୀ ରାଜ୍ୟ ସୀମାନ୍ତ ଗାଁ କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଥମିନଥିବା ବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଥିବା ଆଉ ଏକ ସୀମାନ୍ତ ଗାଁ ଜୁମ୍‌ଡ଼ାଙ୍ଗକୁ ସମ୍ପୂର୍ଣ୍ଣ କବଜା କରିଛି ଆନ୍ଧ୍ର।

କିଛି ବର୍ଷ ତଳେ ଚିତ୍ରକୋଣ୍ଡା ବ୍ଲକ୍‌ ରାଲେଗାଡ଼ା ପଞ୍ଚାୟତରୁ ଅଲଗା ହୋଇ ଧୂଳିପୁଟ୍‌ ପଞ୍ଚାୟତରେ ମିଶିଥିଲା ଏହି ଗାଁ। ସରକାରୀ ସ୍ତରରେ ଏହି ନିଷ୍ପତ୍ତି ସିନା ହେଲା, କିନ୍ତୁ ବାସ୍ତବରେ ଏ ଗାଁ ସହ କୌଣସି ସମ୍ପର୍କ ରଖିଲାନି ବ୍ଲକ୍‌ ପ୍ରଶାସନ। ଆଉ ଏପଟେ ଓଡ଼ିଶାର ନୀରବତାର ଫାଇଦା ନେଇ ଜୁମଡାଙ୍ଗ ଲୋକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେଇଛି ଆନ୍ଧ୍ର। ପାନୀୟ ଜଳ, ବିଜୁଳି ଆଲୁଅ, ରାସନ କାର୍ଡଠୁ ଆରମ୍ଭ କରି ଅନ୍ୟାନ୍ୟ ସମସ୍ତ ସରକାରୀ ସୁବିଧା ଲୋକଙ୍କ ହାତ ପାଆନ୍ତାରେ ପହଞ୍ଚାଇଛି। ଖାଲି ସେତିକି ନୁହେଁ, ପୂର୍ବରୁ ଓଡ଼ିଶାର ଭୋଟର ଓ ଆଧାର କାର୍ଡ ରଖିଥିବା ଏହି ଲୋକଙ୍କୁ ନୂଆ ପରିଚୟପତ୍ର ଦେଇ ଆନ୍ଧ୍ର ବାସିନ୍ଦା ବୋଲି ପ୍ରମାଣିତ କରାଯାଉଛି।

ଜୁମଡାଙ୍ଗ ଗାଁରେ ପୂର୍ବରୁ ଏକ ଅଙ୍ଗନାବଡ଼ି କେନ୍ଦ୍ର ଥିଲା। ହେଲେ ଗଲା କିଛି ବର୍ଷ ହେବ ତା’ ବି ଠପ୍‌ ହୋଇଯାଇଛି। ଓଡ଼ିଶା ପ୍ରଶାସନ ଗାଁରେ ଆଜିଯାଏଁ ସ୍କୁଲଟିଏ କରିବାକୁ ଉଚିତ ମଣିନଥିବାରୁ ସେ ସୁବିଧା ମଧ୍ୟ ଯୋଗାଇ ଦେଇଛି ଆନ୍ଧ୍ର। ଫଳରେ ପିଲାଏ ଓଡ଼ିଆ ହୋଇ ବି ତେଲୁଗୁ ଭାଷାରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଜୁମଡାଙ୍ଗ ବାସିନ୍ଦାଙ୍କ ଅଭିଯୋଗ ବର୍ଷ ବର୍ଷ ଧରି ପ୍ରଶାସନର କୌଣସି ଅଧିକାରୀ ସେମାନଙ୍କ ପାଖ ମାଡ଼ି ନାହାନ୍ତି। ଏପଟେ ପଞ୍ଚାୟତରେ ନିର୍ବାଚନ ହୋଇନଥିବାରୁ ପଞ୍ଚାୟତ ପ୍ରତିନିଧି ବି ନାହାନ୍ତି। ତେଣୁ ଆନ୍ଧ୍ର ସହଯୋଗ ଗ୍ରହଣ କରିବା ବ୍ୟତୀତ ସେମାନଙ୍କ ନିକଟରେ କିଛି ବିକଳ୍ପ ନାହିଁ।

Comments are closed.