ରାଜ୍ୟ ରାଜସ୍ବ ଆଦାୟରେ ୯% ବୃଦ୍ଧି

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟ ସରକାରଙ୍କ ମୋଟ ରାଜସ୍ବ ଆଦାୟରେ ୯% ବୃଦ୍ଧି ଘଟିଛି। ଅଣ ଟିକସ ବାବଦକୁ ୭୩୯୯ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ସେଥିରେ ୧୨.୨୪% ବୃଦ୍ଧି ଘଟିଛି। ଖଣି ରାଜସ୍ବ ଆଦାୟରେ ୧୧% ଓ ଜଳ କର ଆଦାୟରେ ପ୍ରାୟ ୪୬% ବୃଦ୍ଧି ଘଟିଛି। ନିଜସ୍ବ ଟିକସରେ ୭.୫୬ ପ୍ରତିଶତ ବୃଦ୍ଧି ହୋଇ ୨୪,୯୦୯ କୋଟି ଟଙ୍କା ଆଦାୟ ହୋଇଛି। ଗତବର୍ଷ ଏହି ସମୟରେ ୨୨,୮୭୧ କୋଟି ଟଙ୍କା ଆଦାୟ ହୋଇଥିଲା। ରାଜ୍ୟର ବଜେଟ୍ ବିନିଯୋଗରେ ମଧ୍ୟ ୧୬% ବୃଦ୍ଧି ଘଟିଛି।
ବିଭିନ୍ନ ବିଭାଗଗୁଡ଼ିକ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଟଙ୍କା ବିନିଯୋଗ କରିଛନ୍ତି। ଗତବର୍ଷ ଅକ୍ଟୋବର ସୁଦ୍ଧା ବିଭାଗଗୁଡ଼ିକ ୫୨,୫୨୫ କୋଟି ଟଙ୍କା ବିନିଯୋଗ କରିଥିଲେ। ଚଳିତ ବର୍ଷ ସେହି ସମୟରେ ୬୦,୪୪୮ କୋଟି ଟଙ୍କା ବିନିଯୋଗ ହୋଇଛି ବୋଲି ଏକ ସଚିବ ସ୍ତରୀୟ ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡ଼ିଛି। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ବଜେଟ୍ରେ ଆବଣ୍ଟନ କରାଯାଇଥିବା ଅର୍ଥର ୬୦ ପ୍ରତିଶତ ବିନିଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବିଭାଗଗୁଡ଼ିକୁ ନିର୍ଦେଶ ଦେଇଛନ୍ତି।