Odisha Link
Bridging the Missing Links in Odisha

ପୁଲିସ୍‌ର ପ୍ରେମରେ ଫଶିଗଲା ଗ୍ୟାଙ୍ଗଷ୍ଟାର, ପଢ଼ନ୍ତୁ ପୂରା କାହାଣୀ

ଭୋପାଲ: କଥାରେ ଅଛି ସବୁ ଅସମ୍ଭବକୁ ପ୍ରେମ ସମ୍ଭବ କରିଥାଏ। ଏପରି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି। ଯାହା ପୁଲିସ୍‌ କରି ପାରିଲା ନାହିଁ ତାହା ପ୍ରେମ କରି ଦେଖାଇଛି। ସତ କହିବାକୁ ଗଲେ ପୁଲିସ୍‌ କର୍ମଚାରୀଙ୍କ ହନିଟ୍ରାପ୍‌ରେ ଫଶିଗଲେ କୁଖ୍ୟାତ୍‌ ଗ୍ୟାଙ୍ଗଷ୍ଟାର। ପ୍ରେମର ସାହାରା ନେଇ ଜଣେ ଗ୍ୟାଙ୍ଗଷ୍ଟରକୁ ଧରିବାରେ ସଫଳ ହୋଇଛନ୍ତି ଜଣେ ମହିଳା ପୁଲିସ କର୍ମଚାରୀ। ମଧ୍ୟପ୍ରଦେଶର ଛତ୍ରପୁୁର ଜିଲ୍ଲାର ୨୮ ବର୍ଷୀୟ ସବ ଇନ୍ସପେକ୍ଟର ମାଧବୀ ଅଗ୍ନିହୋତ୍ରୀଙ୍କ ଏଭଳି କାର୍ଯ୍ୟକୁ ନେଇ ସାରା ଦେଶରେ ଚର୍ଚ୍ଚା।

କିଏ ସେ ଗ୍ୟାଙ୍ଗଷ୍ଟାର?
ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହେଉଛି ବାଲକିଷନ ଚୌବେ। ହତ୍ୟା ଓ ଡକାୟତି ଭଳି ୧୫ଟି ମାମଲା ରହିଛି ତା ନାମରେ। ପୁଲିସ ଧରିବା ପାଇଁ ବାଲକିଷନ ପାଖରେ ସବୁବେଳେ ପହଞ୍ଚିଥାଏ। ହେଲେ ପୁଲିସକୁ ଚଖମା ଦେଇ ବର୍ତ୍ତି ଯାଏ ସବୁଥର।ଏପରିକି ପୁଲିସ୍‌ ବିଭାଗ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଉପରେ ଆର୍ଥିକ ପୁରଷ୍କାର ରଖିଥିଲେ। ବାଲକିଷନର ଅପରାଧ ଦିନକୁ ଦିନ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଥିଲା। କାରଣ ସେ ସବୁବେଳେ ମାରଣାସ୍ତ୍ର ସହ ରହିଥାଏ। ଆଉ ସେ ଗୁଳି କରିବାରେ ଧୁରନ୍ଦର। ନିକଟରେ ମାଧବୀ ମଧ୍ୟ ବାଲକିଷନକୁ ଧରାଇ ଦେଲେ ୧୦ ହଜାର ଟଙ୍କାର ଆର୍ଥିକ ପୁରଷ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ।

ରଣନୀତି:
ଏହାପରେ ମହିଳା ଏସଆଇ ମାଧବୀ ଅଗ୍ନିହୋତ୍ରୀ ଅପରାଧୀ ବାଲକିଷନକୁ ଧରାଇବେ ବୋଲି ରଚିଥିଲେ ନୂଆ ରଣନୀତି। ବାଲକିଷନ ଝିଅଙ୍କ ସହ ମିଶିବା ପାଇଁ ଅଧିକ ଇଚ୍ଛା ପ୍ରକାଶ କରିଥାଏ ବୋଲି ତାର ଫେସବୁକ ଆକାଉଣ୍ଟ ଟ୍ରାକ କରି ମାଧବୀ ଜାଣିବାକୁ ପାଇଥିଲେ। ଏମିତିକି ଫେସବୁକରେ ବାଲକିଷନର ଅନ୍ତିମ ଫଟୋକୁ ପାଖରେ ରଖିଥିଲେ ମାଧବୀ। କାରଣ ବାଲକିଷନକୁ ଗିରଫ କରିବା ବେଳେ ଚିହ୍ନିବାରେ ଯେମିତି ଭୁଲ୍ ନହୁଏ ସେଥିପ୍ରତି ମାଧବୀ ଲକ୍ଷ୍ୟ ରଖିଥିଲେ। ଗୁଳି ଫୁଟାଇବାରେ ବାଲକିଷନ ଏକ୍ସପୋର୍ଟ ଥିବାରୁ ତାକୁ ଧରିବା ପାଇଁ ସେମିତି ମଧ୍ୟ ଜାଲ ବିଛାଇ ଥିଲେ।

ଏହାପରେ ସେ ‘ରାଧା ଲୋଧୀ’ ସାଜି ପ୍ରଥମେ ସୋଶାଲ ମିଡିଆ ଫେସବୁକରେ ବାଲକିଷନ ସହ ଚାଟିଂ କରିଥିଲେ। ଚାଟିଂ ଜରିଆରେ ସେ ବାଲକିଷନର ଫୋନ୍ ନମ୍ୱର ଆଣିଥିଲେ। କଥା ହେଲା ବେଳେ ସେ ଜଣେ ଶ୍ରମିକ ବୋଲି କହିଥିଲେ। ଲଗାତାର ୩ ଦିନ ଧରି ଫୋନରେ ମାଧବୀ ‘ରାଧା’ ନାମରେ କଥା ହେବା ପରେ ବାଲକିଷନ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲା।

ବିବାହ ପୂର୍ବରୁ ମଧ୍ୟପ୍ରଦେଶ ଉତ୍ତର ପ୍ରଦେଶ ସୀମାରେ ଥିବା ଏକ ମନ୍ଦିରରେ ପରସ୍ପରକୁ ଭେଟିବାକୁ କଥା ଛିଡ଼ିଲା। ମନ୍ଦିରକୁ ଏକ ଗାଡ଼ିରେ ଆସିଥିଲା ଅପରାଧୀ ବାଲକିଷନ। ଏହାପରେ ହଠାତ୍ ପାଖରେ ଥିବା ପୁଲିସମାନେ ବାଲକିଷନକୁ କାବୁ କରିନେଇଥିଲେ। ପୁଲିସ ପୋଷାକରେ ମାଧବୀ ଯେତେବେଳେ ବାଲକିଷନ ଆଗକୁ ଆସିଥିଲେ ସେତେବେଳେ ସେ କହିଥିଲେ ‘ରାଧା ଆସିଗଲା’। ଏହା ଶୁଣି ବାଲକିଷନ ଚମକି ପଡ଼ିଥିଲା।

Comments are closed.