Odisha Link
Bridging the Missing Links in Odisha

ଶକ୍ତିମନ୍ତ୍ରୀଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବିଦ୍ୟୁତିକରଣ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର : ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଯୋଜନା ଅନ୍ତର୍ଗତ ବିଦୁ୍ୟତିକରଣ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ସର୍କିଟ୍‌ ହାଉସ୍‌ରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସୌଭାଗ୍ୟ, ଓଡ଼ିଏସ୍‌ଏସ୍‌ ପି, ଆଇ ପିଡ଼ିଏସ୍‌, ଡିଡିୟୁଜିଜେଓ୍ୱାଇ, ବିଜିଜେଓ୍ୱାଇ ଯୋଜନା ଅନ୍ତର୍ଗତ ବିଦ୍ୟୁତିକରଣ ଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ସୂତ୍ର ଆଧାରରେ କାର୍ଯ୍ୟକରି ରାଜ୍ୟରେ ବିଦ୍ୟୁତସେବାକୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

ବୈଠକରେ ମନ୍ତ୍ରୀ ସୌଭାଗ୍ୟ ସମେତ ଅନ୍ୟାନ୍ୟ ସରକାରୀ ଯୋଜନା ଅନ୍ତର୍ଗତ ସମସ୍ତ ବିଦ୍ୟୁତିକରଣ କାର୍ଯ୍ୟ ସମୟ ଅବଧି ମଧ୍ୟରେ ସମାପ୍ତ କରିବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଡୁଙ୍ଗୁରିପାଲି ବ୍ଲକ୍‌ ବିଦ୍ୟୁତିକରଣ କାର୍ଯ୍ୟର ସମୀକ୍ଷା କରିବା ସହିତ ବଳକା ଥିବା ଦୁଇଟି ଗ୍ରାମରେ ଶତ ପ୍ରତିଶତ ବିଦ୍ୟୁତିକରଣ କାର୍ଯ୍ୟ ଏକ ସପ୍ତାହ ମଧ୍ୟରେ ସମାପ୍ତକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀ ଜିଲ୍ଲାର ବିଦୁ୍ୟତ ରାଜସ୍ୱ ଆଦାୟ ଉପରେ ସମୀକ୍ଷା କରିବା ସହ ଖିଲା ପକାରୀ ଉପଭୋକ୍ତାଙ୍କଠାରୁ ବକେୟା ବିଦ୍ୟୁତ ଶୁକ୍ଳ ଆଦାୟ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଯେଉଁ ଖିଲାପକାରୀ ଉପଭୋକ୍ତାଙ୍କର ବକେୟା ଏକ ଲକ୍ଷ ଟଙ୍କାରୁ ଅଧିକ ସେମାନଙ୍କ ବିଦ୍ୟୁତ ସଂଯୋଗ ଛିନ୍ନ ସହ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏହାର ଏକ ସଂପୂର୍ଣ୍ଣ ତାଲିକା ପ୍ରଦାନ କରିବା ପାଇଁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ନିର୍ବାହୀ ଯନ୍ତ୍ରୀ ଜେ. ସି. ପାତ୍ର, ଏସ୍‌ଡିଓ, ସୋନପୁର ଅନୁକୂଳ ଚନ୍ଦ୍ର ମହାନ୍ତି, ଏସ୍‌ଡିଓ, ବିନ୍‌କା ରଶ୍ମିରଞ୍ଜନ ଜେନା, ଏସ୍‌ଡିଓ, ବୀରମହାରାଜ ପୁର ଏନ୍‌. ସଂଜୀବ କୁମାର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.