Odisha Link
Bridging the Missing Links in Odisha

ଗୌହାଟୀରେ କର୍ଫ୍ୟୁ ଜାରି, ଇଣ୍ଟରନେଟ୍‌ ସେବା ବନ୍ଦ

ଗୌହାଟୀ: ଗୋଟିଏ ପଟେ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ବିତର୍କ ଚାଲିଥିବା ବେଳେ ଅନ୍ୟପଟେ ଆସାମରେ ତୀବ୍ର ବିରୋଧ ହେଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଲ ବିରୋଧରେ ସ୍ୱର ଉଠୁଥିବା ବେଳେ ଧିରେଧିରେ ଏହି ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ରାଜ୍ୟସଭାରେ ବିଲ ନେଇ ବିତର୍କ ଯେତିକି ଜୋର ହେଉଛି ଗୃହ ବାହାରେ ଅର୍ଥାତ ଆସାମ ଭଳି ଅନେକ ସ୍ଥାନରେ ବିଲକୁ ନେଇ ବିରୋଧ ବଢୁଛି। ତେବେ ଆସାମର ଦିଶପୁର ସ୍ଥିତ ଜନତା ଭବନ ନିକଟରେ ଏକ ବସରେ ବିକ୍ଷୋଭକାରୀ ନିଆଁ ଲଗାଇ ଜାଳି ଦେଇଥିବା ବେଳେ ଆସାମ ବିଧାନସଭା ସାମ୍ନାରେ ପୋଲିସ-ଜନତା ମୁହାଁମୁହିଁ ହୋଇଥିଲେ।

ତେବେ ଏସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସାମରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ହିଂସାତ୍ମକ ବିକ୍ଷୋଭକୁ ଦେଖି ପ୍ରଶାସନ ପକ୍ଷରୁ ସଂଧ୍ୟା ୭ଟାଠାରୁ ୨୪ ଘଣ୍ଟା ପାଇଁ ଆସାମର ୧୦ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି। ଏହି ୧୦ଟି ଜିଲ୍ଲା ମଧ୍ୟରେ ରହିଛନ୍ତି ତିନସୁକିଆ, ଲକ୍ଷ୍ମୀପୁର, ଦିବ୍ରୁଗଡ, ଚେରାଇଦେଓ, ଜୋରହାଟ, ଗୋଲାହାଟ, କାମରୁପ ମେଟ୍ରୋ ଓ କାମରୁପ। ତେବେ ଗୁଆହାଟୀରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲଗାଯାଇଛି। ଏହା ସହିତ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି।

Comments are closed.