ସିଲେକ୍ଟ କମିଟିକୁ ଯିବନାହିଁ CAB

ନୂଆଦିଲ୍ଲୀ: ସିଲେକ୍ଟ କମିଟିକୁ ପଠାଯିବ ନାହିଁ ନାଗରିକତା ସଂଶୋଧନ ବିଧେୟକ(ସିଏବି) । ରାଜ୍ୟସଭାରେ ସିଲେକ୍ଟ କମିଟିକୁ ପଠାନଯିବା ସପକ୍ଷରେ ୧୨୪ଭୋଟ ହୋଇଥିବା ବେଳେ ଏହାର ବିପକ୍ଷରେ ୯୯ ଟି ଭୋଟ ହୋଇଛି।
ଭୋଟିଂ ସମୟରେ ଜଣେ ସଦସ୍ୟ ଅନୁପସ୍ଥିତ ଥିଲେ। ଲୋକସଭାରେ ଏହି ବିଲ ସପକ୍ଷରେ ଭୋଟ ଦେଇଥିବା ଶିବସେନା ରାଜ୍ୟସଭାରେ ଭୋଟିଂକୁ ବହିଷ୍କାର କରି କକ୍ଷତ୍ୟାଗ କରିଛି। । ଏହା ସରକାରଙ୍କୁ ସୁହାଇବା ସମ୍ଭାବନା ରହିଛି । ପୂର୍ବରୁ ଏହି ବିଲ୍ଟି ଲୋକସଭାରେ ଗୃହୀତ ହୋଇସାରିଛି।
ବିରୋଧୀମାନେ ଏହି ବିଲକୁ ଚୟନ କମିଟିକୁ ପଠାଇବାକୁ ଦାବି କରୁଥିଲେ, ଯାହା ଏବେ ଖାରଜ ହୋଇଯାଇଛି। ବର୍ତ୍ତମାନ ରାଜ୍ୟସଭାରେ ଏହି ବିଲ୍ ପାସ୍ ହେବା ପରେ ସିଧାସଳଖ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ ପରେ ବିଲଟି ଆଇନରେ ପରିଣତ ହେବ।
ନାଗରିକତା ସଂଶୋଧନ ବିଲରେ ମୁସଲମାନଙ୍କୁ ସ୍ଥାନ ମିଳିନଥିବାରୁ ଏହାକୁ ନେଇ ବିରୋଧ କରାଯାଉଛି। ଏହି ବିଲ୍ ଭାରତୀୟ ସମ୍ବିଧାନର ଧାରା ୧୪ ସମାନତା ଅଧିକାର ଏବଂ ସମ୍ବିଧାନର ମୁଖବନ୍ଧ ବିରୋଧୀ ବୋଲି ଅଭିଯୋଗ ହେଉଛି।